ବାଲେଶ୍ୱର,୫।୯: ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଆନ୍ତର୍ଜାତୀୟ କ୍ରିକେଟର ରସ ଟେଲର ଅବସରରୁ ଫେରି ଆଗାମୀ ଆଇସିସି ଟି-୨୦ ବିଶ୍ୱକପ ଏସିଆ-ଇଷ୍ଟ ଏସିଆ ପ୍ୟାସିଫିକ କ୍ୱାଲିଫାୟରରେ ସାମୋଆ ପାଇଁ ଖେଳିବେ। ଏହି ଟୁର୍ଣ୍ଣାମେଣ୍ଟ ହେଉଛି ଆଗାମୀ ବର୍ଷର ପୁରୁଷ ଟି-୨୦ ବିଶ୍ୱକପ ପାଇଁ ସାମୋଆର ଯୋଗ୍ୟତା ଅର୍ଜନର ଅନ୍ତିମ ପଦକ୍ଷେପ। ଟେଲର ସୋସିଆଲ ମିଡିଆରେ ତାଙ୍କର ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି।
ସେ କହିଛନ୍ତି, “ଏହା ଆନୁଷ୍ଠାନିକ – ମୁଁ ନୀଳ ଜର୍ସି ପିନ୍ଧି ସାମୋଆ ପାଇଁ ଖେଳିବାକୁ ଗର୍ବିତ। ଏହା କେବଳ ମୋ ପ୍ରିୟ ଖେଳକୁ ଫେରିବା ନୁହେଁ, ବରଂ ମୋର ଐତିହ୍ୟ, ସଂସ୍କୃତି, ଗାଁ ଓ ପରିବାରକୁ ପ୍ରତିନିଧିତ୍ୱ କରିବାର ଏକ ବଡ଼ ସମ୍ମାନ।”
ଟେଲରଙ୍କ ମାତା ସାମୋଆନ ବଂଶୋଦ୍ଭବ ହୋଇଥିବାରୁ ସେ ସାମୋଆ ପାଇଁ ଖେଳିବା ପାଇଁ ଯୋଗ୍ୟ। ୨୦୨୨ ଏପ୍ରିଲରେ ନ୍ୟୁଜିଲ୍ୟାଣ୍ଡ ପାଇଁ ଶେଷ ମ୍ୟାଚ ଖେଳିବା ପରେ ତିନି ବର୍ଷର ବିରତି ଅବଧି ପୂରଣ କରି ସେ ଏବେ ଦ୍ୱିତୀୟ ଆନ୍ତର୍ଜାତୀୟ ଦଳ ପାଇଁ ଖେଳିପାରିବେ।
୪୧ ବର୍ଷୀୟ ଟେଲର ନ୍ୟୁଜିଲ୍ୟାଣ୍ଡ ପାଇଁ ୪୫୦ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳି ୧୮,୧୯୯ ରନ (ଟେଷ୍ଟ-୭୬୮୩, ଦିନିକିଆ-୮୬୦୭, ଟି-୨୦-୧୯୦୯) ସଂଗ୍ରହ କରିଛନ୍ତି। ସେ ୨୦୨୧ ଜୁନରେ ପ୍ରଥମ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଜିତିଥିବା ନ୍ୟୁଜିଲ୍ୟାଣ୍ଡ ଦଳର ଅଂଶ ଥିଲେ।
ଟେଲର କହିଛନ୍ତି, “ମୁଁ ଉତ୍ସାହିତ। ଏହା କିଛି ମାସ ଧରି ଚର୍ଚ୍ଚାରେ ଥିଲା। ଆଜି ଦଳ ଘୋଷଣା ହେବା ପରେ ମୋ ମାତୃଭୂମି ପାଇଁ ଖେଳିବା ରୋମାଞ୍ଚକର। ମୁଁ ଭାବୁଥିଲି ଏହା କୋଚିଂ କିମ୍ବା ଅନ୍ୟ କ୍ଷେତ୍ରରେ ହେବ, କିନ୍ତୁ ଏହି ସୁଯୋଗ ଆସିବାରୁ ମୁଁ ସାମୋଆ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଉତ୍ସୁକ।”
୨୦୨୨ରେ ଅବସର ପରେ ଅଧିକ କ୍ରିକେଟ ନ ଖେଳିଥିବାରୁ ସେ ଶୀଘ୍ର ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କହିଛନ୍ତି। “ମୁଁ ଅନେକ କ୍ରିକେଟ ଖେଳିନାହିଁ, ତେଣୁ ଏହା ଶରୀର ପାଇଁ ଏକ ଝଟକା ହେବ। ତେବେ, ମୁଁ କିଛି ଟୁର୍ଣ୍ଣାମେଣ୍ଟରେ ଖେଳିଛି। ଏବେ ମୋତେ ଶୀଘ୍ର ପ୍ରସ୍ତୁତ ହେବାକୁ ହେବ। ୪୧ ବର୍ଷ ବୟସରେ ଶରୀର ପୂର୍ବପରି ନୁହେଁ, କିନ୍ତୁ ମୁଁ ଆଶା କରୁଛି ଏହା ସାମୋଆ ପାଇଁ ଯଥେଷ୍ଟ ହେବ।”
ସାମୋଆ ଅକ୍ଟୋବର ୮ରୁ ଓମାନରେ ନିଜର ଅଭିଯାନ ଆରମ୍ଭ କରିବ। ସେମାନେ ଗ୍ରୁପ ପର୍ଯ୍ୟାୟରେ ଓମାନ ଓ ପାପୁଆ ନ୍ୟୁ ଗିନି ବିପକ୍ଷରେ ଖେଳିବେ।