Categories: Home Leftଖେଳ

‘ରୋହିତଙ୍କ ବ୍ୟାଟିଂ ଉପରେ ଭରସା ନାହିଁ’

ଦୁବାଇ,୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ୩ୟ କ୍ରମକୁ ପଠାଯାଇଥିଲା। ଏହା ଦର୍ଶାଉଛି ଟ୍ରେଣ୍ଟ ବୋଲ୍ଟଙ୍କ ଇନ୍‌ ସୁଇଙ୍ଗକୁ କାଉଣ୍ଟର କରିବା ପାଇଁ ଷ୍ଟାର ଓପନରଙ୍କ ଉପରେ ଭାରତୀୟ ଦଳର ମ୍ୟାନେଜମେଣ୍ଟର ଆଉ ଭରସା ନାହିଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର।

ଧଳା ବଲ କ୍ରିକେଟରେ ରୋହିତଙ୍କୁ କିମ୍ବଦନ୍ତୀଙ୍କ ତାଲିକାରେ ଗଣାଯାଉଛି। ପାକିସ୍ତାନ ବିପକ୍ଷରେ ରୋହିତ ଇନ୍‌ ସୁଇଙ୍ଗ ବଲକୁ ବୁଝି ନ ପାରି ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ। ଏଣୁ ଦ୍ୱିତୀୟ ମ୍ୟାଚ୍‌ରେ ତାଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କ ସହ ଓପନିଂ କରିଥିଲେ ଇଶାନ କିଷନ। କିନ୍ତୁ ଟିମ୍‌ ମ୍ୟାନେଜମେଣ୍ଟର ଏହି ନିଷ୍ପତ୍ତି ଫଳପ୍ରଦ ସାବ୍ୟସ୍ତ ହୋଇ ନ ଥିଲା। ଭାରତୀୟ ଦଳ ୨୦ ଓଭରରେ ୭ ଉଇକେଟ ହରାଇ ମାତ୍ର ୧୧୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

“କିଷନ ଜଣେ ଆଟାକିଂ ଖେଳାଳି। ତାଙ୍କ ଭଳି ବ୍ୟାଟର ଚତୁର୍ଥ କିମ୍ବା ୫ମ କ୍ରମରେ ବ୍ୟାଟିଂ କରିବା ଉଚିତ। ସେହି କ୍ରମରେ ସେ ମ୍ୟାଚ୍‌ର ପରିସ୍ଥିତି ଅନୁଯାୟୀ ଖେଳିପାରିବେ। କିନ୍ତୁ କିଷନଙ୍କୁ ଓପନିଂ ପଠାଇ ଟିମ୍‌ ମ୍ୟାନେଜମେଣ୍ଟ ସ୍ପଷ୍ଟ କରିଦେଇଛି ଯେ, ବାମହାତୀ ପେସରଙ୍କ ବିପକ୍ଷରେ ରୋହିତଙ୍କୁ ଭରସା କରାଯାଇପାରିବ ନାହିଁ। ଓପନିଂ ସ୍ଲଟରେ ଅନେକ ବର୍ଷ ହେଲା ଖେଳୁଥିବା ବ୍ୟାଟରଙ୍କ ସହ ଏଭଳି କରାଗଲେ, ସେ ନିଜ ଦକ୍ଷତାକୁ ସନ୍ଦେହ କରିପାରନ୍ତି। ଯଦି ଇଶାନ ୭୦ ରନ୍‌ର ଇନିଂସ ଖେଳିଥାନ୍ତେ, ତେବେ ଆମେ ତାଙ୍କୁ ଶୁଭେଚ୍ଛା ଜଣାଇଥାନ୍ତୁ। କିନ୍ତୁ ପ୍ଲାନ ଫେଲ ହେଲେ, ସମାଲୋଚିତ ହେବାକୁ ପଡ଼ିବ” ବୋଲି ଗାଭାସ୍କର ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି।