ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା ମଧ୍ୟ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ରୋହିତଙ୍କ ଫିଟନେସ ଏବଂ ବ୍ୟାଟିଂ ଅଭ୍ୟାସର ଭିଡିଓ ବେଶ ଭାଇରାଲ ହେଉଛି। ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ରୋହିତ, ଶାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ ଏକ ଜବରଦସ୍ତ ଛକା ମାରୁଥିବା ଦେଖିବାକୁ ମିଳିଛି। ତେବେ ଏହି ସିଜିନରେ ରୋହିତଙ୍କ ଭୂମିକା କ’ଣ ହେବ, ସେ ନେଇ ଦଳର ମୁଖ୍ୟ କୋଚ ମାହେଲା ଜୟବର୍ଦ୍ଧନେ ଏବେ ସ୍ପଷ୍ଟ ସୂଚନା ଦେଇଛନ୍ତି।

ଜୟବର୍ଦ୍ଧନେଙ୍କ କହିବା ଅନୁଯାୟୀ, ରୋହିତ ଏହି ସିଜିନରେ କେବଳ ‘ଇମ୍ପାକ୍ଟ ପ୍ଲେୟାର’ ଭାବେ ଖେଳିବେ ନାହିଁ। ବରଂ ସେ ଅଧିକାଂଶ ମ୍ୟାଚରେ ପଡ଼ିଆରେ ଫିଲ୍ଡିଂ କରୁଥିବା ନଜର ଆସିବେ। ଗତ ସିଜିନରେ ରୋହିତଙ୍କ ଫିଟନେସକୁ ନେଇ କିଛି ସମସ୍ୟା ଥିବାରୁ ତାଙ୍କର ୱାର୍କଲୋଡ ମ୍ୟାନେଜ କରାଯାଉଥିଲା। ଏଥର ରୋହିତ ସମ୍ପୂର୍ଣ୍ଣ ଫିଟ ଥିବାରୁ ସେ ଦଳ ପାଇଁ ବ୍ୟାଟିଂ ସହ ଫିଲ୍ଡିଂରେ ମଧ୍ୟ ବଡ଼ ଭୂମିକା ଗ୍ରହଣ କରିବେ। ଦଳର ସନ୍ତୁଳନ ଏବଂ ପରିସ୍ଥିତିକୁ ଦେଖି ତାଙ୍କୁ ସର୍ବାଧିକ ବ୍ୟବହାର କରାଯିବ ବୋଲି କୋଚ୍‌ କହିଛନ୍ତି।

ରୋହିତ ଶର୍ମା କେବଳ ଦଳର ପୂର୍ବତନ ଅଧିନାୟକ ନୁହନ୍ତି, ବରଂ ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ସଫଳ ବ୍ୟାଟର ମଧ୍ୟ। ରୋହିତ ନିଜ IPL କ୍ୟାରିୟରରେ ୨୭୨ଟି ମ୍ୟାଚରୁ ୭୦୪୬ ରନ୍‌ ସଂଗ୍ରହ କରିଛନ୍ତି। ଏହି ମୋଟ ରନ ମଧ୍ୟରୁ ପ୍ରାୟ ୬୦୦୦ ରନ ସେ କେବଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି କରିଛନ୍ତି।୨୦୧୧ ମସିହାରୁ ସେ ଦଳ ସହ ଜଡ଼ିତ ଅଛନ୍ତି ଏବଂ ମୁମ୍ବାଇ ଜିତିଥିବା ୫ଟି ଯାକ ଆଇପିଏଲ ଟାଇଟଲ ବିଜୟରେ ସେ ଦଳର ଏକ ଅଭିନ୍ନ ଅଂଶ ରହିଛନ୍ତି।

ଡେକାନ ଚାର୍ଜର୍ସରୁ ଆରମ୍ଭ କରି ମୁମ୍ବାଇ ଇଣ୍ଡିଆନ୍ସ ପର୍ଯ୍ୟନ୍ତ ରୋହିତଙ୍କ ଯାତ୍ରା ବେଶ ପ୍ରେରଣାଦାୟୀ। ଏବେ ପ୍ରଶଂସକମାନେ ୨୦୨୬ ସିଜିନରେ ‘ହିଟ୍‌ମ୍ୟାନ’ଙ୍କ ବ୍ୟାଟରୁ ପୁଣି ଥରେ ରନ୍‌ ବର୍ଷା ଦେଖିବାକୁ ଅପେକ୍ଷା କରିଛନ୍ତି।

Dharitri – Odisha’s No.1 Odia Daily

Share