Categories: Home Leftଖେଳ

ପନ୍ତଙ୍କୁ ଓପନିଂ ପଠାଇବାର କାରଣ କହିଲେ ରୋହିତ

ଅହମ୍ମଦାବାଦ,୧୦।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ପାଇଁ ରୋହିତ ଶର୍ମାଙ୍କ ସହ ଓପନିଂ କରିବାକୁ ଓହ୍ଲାଇଥିଲେ ରିଷଭ ପନ୍ତ। ଟିମ୍‌ ମ୍ୟାନେଜମେଣ୍ଟର ଏଭଳି ନିଷ୍ପତ୍ତି ସଭିଙ୍କୁ ଚକିତ କରି ଦେଇଥିଲା। ପ୍ରଥମ ଥର ପାଇଁ ପନ୍ତ ଦିନିକିଆରେ ଓପନିଂ କରିବାକୁ ସୁଯୋଗ ପାଇଥିଲେ। ଦଳରେ ଲୋକେଶ ରାହୁଲ ଥିବାବେଳେ  ପନ୍ତଙ୍କ ଓପନିଂ କରିବା ଘଟଣା ଉପରେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଥିଲେ ଅନେକ ପ୍ରଶଂସକ। ସେଟ୍‌ ହେବା ପାଇଁ ଆରମ୍ଭରୁ ଧୈର୍ଯ୍ୟର ସହ ଖେଳିଥିଲେ ପନ୍ତ। କିନ୍ତୁ ଓଡେନ ସ୍ମିଥଙ୍କ ଅଫ୍‌ ଷ୍ଟମ୍ପ ବାହାର ବଲକୁ ଲେଗ୍‌ ସାଇଡ୍‌ ମାରିବାକୁ ଯାଇ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଆଉଟ୍‌ ହେବା ପୂର୍ବରୁ ସେ ୧୮ ରନ୍‌ କରିଥିଲେ।

ମ୍ୟାଚ୍‌ ଶେଷ ହେବା ପରେ ପନ୍ତଙ୍କ ଓପନିଂ କରିବା ପଛର କାରଣ କହିଥିଲେ ଅଧିନାୟକ ରୋହିତ। “ମୋତେ କିଛି ଭିନ୍ନ କରିବାକୁ କୁହାଯାଇଥିଲା। ଏଣୁ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଲୋକେ ରିଷଭଙ୍କୁ ଓପନିଂ କରୁଥିବା ଦେଖି ଖୁସି ହେବେ, ହେଲେ ଏହା ସ୍ଥାୟୀ ନୁହେଁ। ପରବର୍ତ୍ତୀ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଲାଗି ବରିଷ୍ଠ ଓପନର ଶିଖର ଧାଓ୍ବନ ଉପଲବ୍ଧ ହେବେ। ଆମେ ସର୍ବଦା ଫଳାଫଳ ବିଷୟରେ ଚିନ୍ତା କରୁ ନାହିଁ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମେ କିଛି ନୂଆ କରିବାକୁ ଚାହୁଁଛୁ। ଯଦି ଏହି ପ୍ରକ୍ରିୟାରେ ଆମେ ଗୋଟେ ମ୍ୟାଚ୍‌ ହାରିଯାଉ, ତେବେ କିଛି ଫରକ ପଡ଼ିବ ନାହିଁ” ବୋଲି ରୋହିତ କହିଛନ୍ତି।

ରୋହିତଙ୍କ ଏଭଳି ନିଷ୍ପତ୍ତି ପଛର କାରଣ ଲୋକେଶ ରାହୁଲଙ୍କୁ ମଧ୍ୟକ୍ରମରେ ଖେଳାଇବା। ଦୀର୍ଘ ଦିନ ହେଲା ୪ର୍ଥ କ୍ରମ ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇ ରହିଛି। ଏହି କ୍ରମରେ ରାହୁଲ ବ୍ୟାଟିଂ କରି ୪୯ ରନ୍‌ର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ।