Categories: Home Leftଖେଳ

ରୋହିତଙ୍କ ଆହତ ସମସ୍ୟା ଉପରେ ଆସିଲା ଅପଡେଟ୍‌

ଦୁବାଇ,୧୯।୯: ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)ର ପ୍ରଥମ ମ୍ୟାଚ୍‌ରେ ବିଶ୍ରାମ ଭାରତୀୟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି। ସେ ଏବେ ଆଣ୍ଠୁ ଜନିତ ସମସ୍ୟାରୁ ମୁକୁଳିଛନ୍ତି। ଏଣୁ ତାଙ୍କୁ ଆହୁରି ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି ମୁମ୍ବାଇ ଦଳର ଟିମ୍‌ ମ୍ୟାନେଜମେଣ୍ଟ। ତାଙ୍କ ଅନୁପସ୍ଥିତିରେ କିରନ ପୋଲାର୍ଡ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଦଳର ନେତୃତ୍ୱ ଭାର ସମ୍ଭାଳି ଥିଲେ।

ଚଳିତ ମାସ ପ୍ରାରମ୍ଭରେ ଖେଳାଯାଇଥିବା ଓଭାଲ ଟେଷ୍ଟରେ ରୋହିତଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏହି ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକୀୟ ପାଳି ଖେଳିଥିଲେ ଭାରତୀୟ ଓପନର। ଏମ୍‌ଆଇ ମୁଖ୍ୟ କୋଚ୍‌ ମହେଳା ଜୟଓ୍ବର୍ଦନେ କହିଛନ୍ତି, ରୋହିତଙ୍କୁ ସିଏସ୍‌କେ ବିପକ୍ଷ ମ୍ୟାଚ୍‌ରୁ ଦୂରେଇ ରଖିବା ସତର୍କତା ମୂଳକ ପଦକ୍ଷେପ। ଆମେ ଜାଣିଶୁଣି ତାଙ୍କୁ ଅଧିକ ଦୁଇ ଦିନର ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛୁ।

ଆସନ୍ତା ୨୩ ତାରିଖରେ ମୁମ୍ବାଇ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ଆବୁ ଧାବିଠାରେ ଭେଟିବ। ତେବେ ଆଇପିଏଲ ଶେଷ ହେବାର ତୁରନ୍ତ ପରେ ଟି୨୦ ବିଶ୍ୱକପ୍‌ ଖେଳାଯିବାକୁ ଥିବାରୁ ରୋହିତଙ୍କ ଫିଟ୍‌ନେସ ଉପରେ କେହି ଚାନ୍ସ ନେବାକୁ ଚାହୁଁ ନାହାନ୍ତି।