କୋହଲିଙ୍କ ପ୍ରଶଂସାରେ ଶତମୁଖ ରୋହିତ ଶର୍ମା

ତ୍ରିନିଦାଦ,୨୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବର୍ଷା ଯୋଗୁ ଡ୍ର’ରେ ଶେଷ ହୋଇଥିଲା। ଦ୍ୱିତୀୟ ଟେଷ୍ଟରେ ବର୍ଷା ଯୋଗୁ ଶେଷ ଦିନର ଖେଳ ଆରମ୍ଭ ହୋଇପାରି ନ ଥିଲା। ଏହି ସିରିଜ ଭାରତ ପାଇଁ ବହୁତ ଭଲ ଥିଲା। ଏଥିରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ଯଶସୱୀ ଜୟସ୍ବାଲଙ୍କ ଭଳି ଖେଳାଳିମାନେ ଭଲ ଫର୍ମ ପ୍ରଦର୍ଶନ କରିଥିଲେ। ଏହି ତିନି ଖେଳାଳି ଶତକ ହାସଲ କରିଥିଲେ। ଏଥି ସହିତ ସିରିଜ ଶେଷ ହେବା ପରେ ରୋହିତ ଶର୍ମା ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି।
ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବାବେଳେ କୋହଲି ୧୧ ଚୌକା ସହାୟତାରେ ୧୨୧ ରନ ସଂଗ୍ରହ କରିଥିଲେ। ଏହି ଇନିଂସ ମାଧ୍ୟମରେ ବିରାଟ ଭାରତ ପାଇଁ ଇନିଂସ ପରିଚାଳନା କରିଥିଲେ ଏବଂ ଦଳକୁ ମୋଟ ୪୩୮ ରନରେ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହା ଉପରେ ରୋହିତ ଶର୍ମା କହିଛନ୍ତି, କଠିନ ପରିସ୍ଥିତିରେ ବିରାଟ କୋହଲିଙ୍କ ଭଳି ଖେଳାଳି ଆବଶ୍ୟକ, ୪ ଉଇକେଟ୍‌ ହରାଇବା ପରେ କୋହଲି ଚମତ୍କାର ବ୍ୟାଟିଂ କରିଥିଲେ।
ସିରିଜର ପ୍ରଥମ ମ୍ୟାଚରେ ରୋହିତ ଶର୍ମା ମଧ୍ୟ ଶତକ ହାସଲ କରିଥିଲେ। ସେ ୧୦ ଚୌକା ଓ ୨ ଛକା ସହାୟତାରେ ୧୦୩ ରନ ସଂଗ୍ରହ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଦଶମ ଶତକ ଥିଲା।