ଦିନିକିଆ ଅଧିନାୟକ ପଦରୁ ହଟାଯିବା ପରେ ବଡ଼ କଥା କହିଦେଲେ ରୋହିତ: ଗମ୍ଭୀର ନୁହନ୍ତି ବରଂ ଏହି…

ମୁମ୍ବାଇ,୮।୧୦: ନିକଟରେ କ୍ରିକେଟର ରୋହିତ ଶର୍ମାଙ୍କୁ ଦିନିକିଆ କ୍ରିକେଟର ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ଏହାର କିଛି ଦିନ ପରେ ସେ ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଏହି ବିଜୟ ପଛରେ ଗୌତମ ଗମ୍ଭୀର ନୁହନ୍ତି ବରଂ ଅନ୍ୟ କୋଚ୍‌ ଥିବା ସ୍ପଷ୍ଟ କରିଛନ୍ତି।
ରୋହିତ ମଙ୍ଗଳବାର କହିଛନ୍ତି ଯେ, ପୂର୍ବତନ କୋଚ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିବା ପ୍ରକ୍ରିୟାଗୁଡ଼ିକୁ ଅନୁସରଣ କରିବା ଯୋଗୁ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ଜିତିବାରେ ସଫଳ ହୋଇଛି। ରୋହିତ ଓ ରାହୁଲଙ୍କ କାର୍ଯ୍ୟକାଳରେ ଭାରତ ୨୦୨୩ ODI ବିଶ୍ୱକପ୍‌ ଫାଇନାଲରେ ହାରିବା ପରେ ୨୦୨୪ ଟି-୨୦ ବିଶ୍ୱକପ୍‌ ଜିତିଥିଲା। ଏହାପରେ ଭାରତୀୟ ଦଳ ୨୦୨୫ ଚାମ୍ପିଅନ୍ସ ଟ୍ରଫି ହାସଲ କରିଥିଲା।
ସିଏଟି କ୍ରିକେଟ ରେଟିଂ ପୁରସ୍କାର ସମାରୋହରେ ରୋହିତ କହିଛନ୍ତି, “ମୁଁ ସେହି ଦଳକୁ ପସନ୍ଦ କରେ ଓ ଏହା ସହ ଖେଳିବାକୁ ମଧ୍ୟ। ଆମେ ସମସ୍ତେ ଏହି ଯାତ୍ରାରେ ଅନେକ ବର୍ଷ ଧରି ଥିଲୁ। ଏହା ଗୋଟିଏ ବା ଦୁଇ ବର୍ଷର କାମ ନୁହେଁ। ବହୁ ବର୍ଷ ଧରି କାମ ଚାଲିଥିଲା। ଆମେ ଅନେକ ଥର ଟ୍ରଫି ଜିତିବାର ବହୁତ ନିକଟରେ ପହଞ୍ଚିଥିଲୁ। କିନ୍ତୁ ଜିତି ପାରି ନ ଥିଲୁ। ତେବେ ସମସ୍ତେ ନିଷ୍ପତ୍ତି ନେଇଥିଲୁ ଯେ ଆମକୁ କିଛି ଭିନ୍ନ କରିବାକୁ ହେବ। ଏହାକୁ ଦୁଇଟି ଦୃଷ୍ଟିକୋଣରୁ ଦେଖାଯାଇପାରେ। ସବୁବେଳେ ଏହି ଚିନ୍ତା ଆସେ ଯେ ଏପରି କରାଯାଉ ଓ ତା’ପରେ ସେହିପରି କରାଯାଏ। ଏହା ଜଣେ ବା ଦୁଇଜଣ ଖେଳାଳିଙ୍କ ଦ୍ୱାରା ହୋଇପାରେ ନାହିଁ। ଆମକୁ ଦରକାର ଥିଲା ଯେ ସମସ୍ତେ ଏହି ଚିନ୍ତାଧାରାକୁ ଗ୍ରହଣ କରନ୍ତୁ ଓ ଏହା ସମସ୍ତଙ୍କ ତରଫରୁ ଭଲ ଥିଲା।
ରୋହିତ କହିଛନ୍ତି, “ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଖେଳାଳି ଚିନ୍ତା କରିଥିଲେ ଯେ କିପରି ମ୍ୟାଚ୍‌ ଜିତାଯିବ, କିପରି ନିଜକୁ ଚ୍ୟାଲେଞ୍ଜ କରାଯିବ ଓ ଆତ୍ମସନ୍ତୁଷ୍ଟ ନ ହେବା ସହ କୌଣସି ଜିନିଷକୁ ହାଲୁକା ଭାବେ ନ ନେବା। ଯେତେବେଳେ ଆମେ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି କରୁଥିଲୁ, ମୋତେ ଓ ରାହୁଲ ଭାଇଙ୍କୁ ଏହି ପ୍ରକ୍ରିୟାରୁ ବହୁତ ସାହାଯ୍ୟ ମିଳିଥିଲା। ଆମେ ତାହାକୁ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ବଜାୟ ରଖିଥିଲୁ।
ତେବେ ଭାରତ ଯେତେବେଳେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା, ସେତେବେଳେ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ ନୁହନ୍ତି, ବରଂ ଗୌତମ ଗମ୍ଭୀର ଥିଲେ। ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦିନିକିଆ ଦଳର ନେତୃତ୍ୱ ରୋହିତ ନୁହେଁ, ଶୁଭମନ ଗିଲଙ୍କ ପାଖରେ ରହିବ। ରୋହିତ କହିଛନ୍ତି, “ମୋତେ ଯେତେବେଳେ ସୁଯୋଗ ମିଳିଛି, ମୁଁ ତିନୋଟି ଫର୍ମାଟରେ ଭଲ ଖେଳିବାକୁ ଚେଷ୍ଟା କରିଛି। ମୁଁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ପସନ୍ଦ କରେ। ସେଠାରେ କ୍ରିକେଟ ଖେଳିବା ବେଶ ଚ୍ୟାଲେଞ୍ଜପୂର୍ଣ୍ଣ। ସେଠାରେ ଖେଳିବାର ବହୁତ ଅଭିଜ୍ଞତା ଅଛି, ତେଣୁ କିପରି ଖେଳିବାକୁ ହେବ ଜଣାଅଛ ବୋଲି ସେ କହିଛନ୍ତି।
Dharitri – Odisha’s No.1 Trusted Odia Daily