ରବର୍ଟ ପ୍ରିଭୋଷ୍ଟ ନୂଆ ପୋପ୍‌

ଭାଟିକାନ୍‌ ସିଟି,୯ା୫: ଆମେରିକା କାର୍ଡିନାଲ ରବର୍ଟ ପ୍ରିଭୋଷ୍ଟ (୬୯) ନୂଆ ପୋପ୍‌ ନିର୍ବାଚିତ ହୋଇଥିବା ନେଇ ଗୁରୁବାର ରାତିରେ କାର୍ଡିନାଲ ପ୍ରୋଟୋଡିକନ୍‌ ଡୋମିନିକ୍‌ ମାମ୍ବେର୍ଟି ଘୋଷଣା କରିଛନ୍ତି। ନୂଆ ପୋପ୍‌ ଲିଓ ଚତୁର୍ଦ୍ଦଶ ଭାବେ ନାମିତ ହେବେ। ପୋପ୍‌ ନିର୍ବାଚନ ପାଇଁ ଅନୁଷ୍ଠିତ କନ୍‌ଭେନ୍‌ଶନ୍‌ର ଦ୍ୱିତୀୟ ଦିନରେ ଭାଟିକାନ୍‌ ସିଟିର ସିଷ୍ଟାଇନ୍‌ ଚାପେଲ୍‌ ଚିମିନ୍‌ରୁ ଧଳା ଧୂଆଁ ଉଠିବା ମାତ୍ରେ ନୂଆ ପୋପ୍‌ ନିର୍ବାଚିତ ହୋଇଥିବାର ସଙ୍କେତ ମିଳିଥିଲା। ଏହାର ୭୦ ମିନିଟ୍‌ ପରେ ସେଣ୍ଟ ପିଟର୍ସ ବାସିଲିକାର କେନ୍ଦ୍ରୀୟ ବାଲ୍‌କୋନିରେ ପୋପ୍‌ ଲିଓ ଜନସାଧାରଣଙ୍କୁ ଦର୍ଶନ ଦେଇଥିଲେ। ୨,୦୦୦ ବର୍ଷର କାଥୋଲିକ୍‌ ଚର୍ଚ୍ଚ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଆମେରିକୀୟ ପୋପ୍‌ ନିର୍ବାଚିତ ହୋଇଛନ୍ତି। ୧୪୦ କୋଟି କାଥୋଲିକ୍‌ ଚର୍ଚ୍ଚ ସଦସ୍ୟଙ୍କ ପାଇଁ ୧୩୩ ଜଣ କାର୍ଡିନାଲ ନୂଆ ପୋପ୍‌ ନିର୍ବାଚନ କରିଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ ୨୧ରେ ପୋପ୍‌ ଫ୍ରାନ୍ସିସ୍‌ଙ୍କ ପରଲୋକ ହୋଇଥିଲା। ବୁଧବାରଠାରୁ ନୂଆ ପୋପ୍‌ ନିର୍ବାଚନ ପାଇଁ ଗୁପ୍ତ ଭୋଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭୋଟ ଦେବାକୁ ଥିବା ୧୩୩ କାର୍ଡିନାଲ ମଙ୍ଗଳବାରଠାରୁ ସିଷ୍ଟାଇନ୍‌ ଚାପେଲ୍‌ ମଧ୍ୟରେ ରହିଥିଲେ ଓ ସେମାନଙ୍କ ମୋବାଇଲ୍‌ ଫୋନ୍‌ ସିଗ୍‌ନାଲକୁ ବୁଧବାର ଅପରାହ୍ନରୁ ବ୍ଲକ୍‌ କରିଦିଆଯାଇଥିଲା।