ସୋହେଲା,୧୦ା୧୦(ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ସୋହେଲା ଅଞ୍ଚଳରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ୩ ଅଭିଯୁକ୍ତଙ୍କୁ ସ୍ଥାନୀୟ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ ଜିଲା ରାଉରକେଲା ସେକ୍ଟର ୨୦ର ସୁଜିତ ମହାରଣା (୩୬) ଓ ବିହାର ମୂଳ ନିବାସୀ ତଥା ବର୍ତ୍ତମାନ ରାଉରକେଲାରେ ରହୁଥିବା ଅଜିତ ଅହମ୍ମଦ ଖାନ ଓରଫ ଜାନି (୫୨) ଓ ବରଗଡ ଜିଲା ପାଇକମାଳର ରମାକାନ୍ତ ମିଶ୍ର ଓରଫ ବୁଚୁନ (୩୦)। ସେମାନଙ୍କଠାରୁ ଏକ ଦେଶୀ ପିସ୍ତଲ, ଫୁଟା ଓ ଅଫୁଟା ଗୁଳି, ଧାରୁଆ ମାରଣାସ୍ତ୍ର ଓ ଗୋଟିଏ ଦାମୀ ଗାଡି ଜବତ ହୋଇଛି। ଏ ନେଇ ସୋହେଲା ଥାନାରେ ନଂ. ୩୦୮/୨୫ରେ ଏକ ମାମଲା ରୁଜୁ କରାଯାଇଛି।
ବୁଧବାର ରାତିରେ ସୋହେଲା ପୋଲିସ ସୂଚନା ପାଇ ଢିପାପଡ଼ା ନିକଟରେ ଯାଇଥିବା ଧୂସରବାହାଲ ରାସ୍ତାରେ ସନ୍ଦେହଜନକ ଭାବେ ଏକ ଗାଡିକୁ ଅଟକାଇ ଖାନ ତଲାସି କରିଥିଲା। ଫଳରେ ଅଭିଯୁକ୍ତମାନେ ଡକାୟତି ଯୋଜନା କରୁଥିବା ଜଣାପଡ଼ିଥିଲା। ଅଭିଯୁକ୍ତଠାରୁ ଏକ ମହିନ୍ଦ୍ରା ଜାଇଲୋ ଗାଡି (ନମ୍ବର ଓଡି ୧୪-୮୮୭୭), ଏକ ଦେଶୀ ବନ୍ଧୁକ, ୩ଟି ଜୀବନ୍ତ ଗୁଳି ( ୭.୬୫ଏମଏମ), ୩ଗୋଟି ଖାଲି କାଟ୍ରିଜ ( ୭.୬୫ ଏମଏମ), ଏକ ଧଳା ରଙ୍ଗର ଷ୍ଟିକ, ଲୁହା କଟୁରି, ୧୦୦ଗ୍ରାମ ଲଙ୍କାଗୁଣ୍ଡ, ଗୋଟିଏ ଲାଲରଙ୍ଗର ଟର୍ଚ୍ଚ ଏବଂ ୫ ଗୋଟି କଳାରଙ୍ଗର ମୁଖା କପଡା ଆଦି ଜବତ କରାଯାଇଛି । ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ନେଇ ଆଇଆଇସି ହରିଶଙ୍କର ଭୋଇଙ୍କ ଉପସ୍ଥିତିରେ ପଦ୍ମପୁର ଏସ୍ଡିପିଓ ପାଣ୍ଡବ ସବର ସୋହେଲା ଥାନାରେ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଅଭିଯୁକ୍ତ ରମାକାନ୍ତ ମିଶ୍ର ଓରଫ ବୁଚୁନଙ୍କ ବିରୋଧରେ ପାଇକମାଳ, ଝାରବନ୍ଧ, ପଦ୍ମପୁର ଓ ଜଗଦଲପୁର ଥାନାରେ ବିଭିନ୍ନ ଆପରାଧିକ ମାମଲା ରହିଥିବା ବେଳେ ସୁଜିତ ମହାରଣାଙ୍କ ବିରୋଧରେ ଧଉଳି ଥାନାରେ ମଧ୍ୟ ମାମଲା ରହିଥିବା ପୋଲିସ ସୂଚନା ଦେଇଛନ୍ତି ।
Dharitri – Odisha’s No.1 Odia Daily