ଝରିଗାଁ,୨୭ା୧୧(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇ ନିର୍ଭୟରେ ବୁଲୁଛନ୍ତି। ଯାହାଫଳରେ ଅଞ୍ଚଳରେ ରହୁଥିବା ଛୋଟ ବଡ଼ ବ୍ୟବସାୟୀମାନେ ଏକ ପ୍ରକାର କୋକୁଆ ଭୟରେ ରହୁଛନ୍ତି l ଗତ ମଙ୍ଗଳବାର ରାତିରେ ଝରିଗାଁ ଥାନା ଅଞ୍ଚଳ ହାତୀବାଡ଼ି ଗ୍ରାମ ସାନ୍ତାସାହିର ବ୍ୟବସାୟୀ ତଥା ମକାଚାଷୀ ବିଭୁପଦ ସ୍ବାଇଁଙ୍କ ଘରେ ସଶସ୍ତ୍ର ଡକାୟତ ପଶି ଚୋରି କରିଥିବା ସହ ବ୍ୟବସାୟକଙ୍କୁ ମାଡ଼ ମାରିବା ସହ ସମ୍ପୁକ୍ତ ବ୍ୟବସାୟୀଙ୍କ ସ୍ତ୍ରୀଙ୍କୁ ଛୁରିରେ ଆକ୍ରମଣ କରି ଟଙ୍କା ଓ ସୁନା ଲୁଟ୍ କରି ନେଇଛନ୍ତି।
ଖବର ପାଇ ଉକ୍ତ ରାତିରେ ଥାନା ଅଧିକାରୀ ଝରିଗାଁ ମେଡିକାଲରେ ପହଞ୍ଚି ଉଭୟଙ୍କ ବୟାନ ସଂଗ୍ରହ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ବୁଧବାର ଅତିରିକ୍ତ ଏସ୍ପି ଆଦିତ୍ୟ ସେନ, ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର, ଝରିଗାଁ ଥାନା ଅଧିକାରୀ ପ୍ରଦୀପ କୁମାର ଶବର ଏବଂ ଉମରକୋଟ ଥାନା ଇନ୍ସପେକ୍ଟର ଶିବ୍ଜୀ ପ୍ରସାଦ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଘଟଣା ଘଟିବାର ପ୍ରାୟ ୩୬ ଘଣ୍ଟା ପରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧନୀ କୁକୁର ପହଞ୍ଚିଥିଲା।
ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲା ଝରିଗାଁ ଥାନା ଅଞ୍ଚଳ ହାତୀବାଡ଼ି ଗ୍ରାମ ସାନ୍ତାସାହିର ବ୍ୟବସାୟୀ ତଥା ମକାଚାଷୀ ବିଭୁପଦ ସ୍ବାଇଁଙ୍କ ଘରେ ମଙ୍ଗଳବାର ରାତିରେ ସଶସ୍ତ୍ର ଡକାୟତି ହାଇଛି। ବିଭୁପଦଙ୍କ ଶ୍ୱଶୁର ବିନୋଦ ବିହାରୀ ସାମଲ ଝରିଗାଁ ଥାନାରେ ନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଲମାରୀ ଭାଙ୍ଗି ୩ ଲକ୍ଷ ଟଙ୍କା ଓ ସୁନାଗହଣା ଚୋରି କରାଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ଘଟଣାକୁ ଭିତ୍ତିକରି ପୋଲିସ କେସ୍ ନମ୍ବର ୧୮୬/୨୦୨୫ରେ ଏକ ମାମଲା ରୁଜୁ କରିଛି।