ଘରେ ପଶି ଡ଼କାୟତି ପରେ ଖଣ୍ଡାରେ ହାଣି ହୋଇଯାଇଥିଲେ ଫେରାର, ୨ ବର୍ଷ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା…

ଦିଗପହଣ୍ଡି,୬।୧୧(ଅଶେଷ ନାଥ ମିଶ୍ର): ଡକାୟତି ଓ ହତ୍ୟାଉଦ୍ୟମ ମାମଲାରେ ୨ ବର୍ଷ ଧରି ଫେରାର ଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକେଇ ପଞ୍ଚାୟତ କୁମରଡ଼ା ଗ୍ରାମର ପେସାଦାର ଅପରାଧୀ ଲକ୍ଷ୍ମୀଦତ୍ତ ପ୍ରଧାନ ଓରଫ କାଳୁଙ୍କୁ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଜୟନାଥ ପ୍ରଧାନ ଗୁରୁବାର କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୪୩୬/୨୩ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଗତ ୨୦୨୩ ଅକ୍ଟୋବର ୨୪ ତାରିଖ ରାତିରେ ଅଭିଯୁକ୍ତ ଲକ୍ଷ୍ମୀଦତ୍ତ ଏବଂ ତାଙ୍କ ସହଯୋଗୀମାନେ ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗାଁର ପିତାମ୍ବର ନାୟକଙ୍କ ଘରେ ପଶି ତାଙ୍କ ମା’ବାପାଙ୍କୁ ବାନ୍ଧି ସୁନାଗହଣା ଓ ଟଙ୍କା ଲୁଟି ନେଇଥିଲେ। ପିତାମ୍ବର ପ୍ରତିରୋଧ କରିବାରୁ ତାଙ୍କ ମୁଣ୍ଡକୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରି ଫେରାର ହୋଇଯାଇଥିଲେ। ଏନେଇ ପିତାମ୍ବର କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ।

ଲକ୍ଷ୍ମୀଦତ୍ତ ଗଞ୍ଜେଇ ଚୋରା ଚାଲାଣ ବେଳେ ମୁମ୍ବାଇ ପୋଲିସ ଦ୍ବାରା ଧରାପଡ଼ି ଗତ ୨ ବର୍ଷ ହେଲା ସେଠାକାର ଜେଲରେ ଥିଲେ। ଅକ୍ଟୋବର ୩ ତାରିଖରେ ସେ ଜେଲରୁ ମୁକୁଳୁଥିବା ଖବର ପାଇ କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲଙ୍କ ନିର୍ଦ୍ଦେଶକ୍ରମେ ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ ଗୌତମ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ମୁମ୍ବାଇ ଏନ୍‌ଏମ୍‌ ଯୋଶୀ ରୋଡ଼ ଥାନା ଅଞ୍ଚଳରୁ ଲକ୍ଷ୍ମୀଦତ୍ତଙ୍କୁ ଗିରଫ କରି ସେଠାକାର କୋର୍ଟରେ ହାଜର କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ୬ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ତଦନ୍ତ କରିବା ପରେ କୋର୍ଟ ଚାଲାଣ କରିଥିଲେ। ଗତ ୨୦୨୩ ଅକ୍ଟୋବର ୨୪ ତାରିଖ ରାତିରେ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଚାନ୍ଦପୁର ଗ୍ରାମର ନାନା ପଣ୍ଡା ଙ୍କୁ ଅପହରଣ କରି ତାଙ୍କ ଠାରୁ ୨୩ ହଜାର ଟଙ୍କା ଲୁଟି ନେଇ ଲକ୍ଷ୍ମୀଦତ୍ତ ଏବଂ ତାଙ୍କ ସହଯୋଗୀ ମାନେ ଫେରାର ହୋଇଯାଇଥିଲେ। ଏନେଇ ନାନା ପଣ୍ଡା ଙ୍କ ଏତଲା କ୍ରମେ ଥାନା ମାମଲା ନଂ.୪୩୭/୨୫ ଅନୁଯାୟୀ ମକଦ୍ଦମା ରୁଜୁ ହୋଇଥିଲା। ଘଟଣା ଦିନ ଠାରୁ ସେ ଫେରାର ଥିଲେ। ପୋଲିସ ଏହି ମକଦ୍ଦମାରେ ପୂର୍ବରୁ ୧୧ ଅଭିଯୁକ୍ତଙ୍କୁ ଗିରଫ କରି ପୂର୍ବରୁ କୋର୍ଟ ଚାଲାଣ କରିଥିଲେ। ପେସାଦାର ଅପରାଧୀ ଲକ୍ଷ୍ମୀଦତ୍ତଙ୍କ ନାଁ ରେ କେ.ନୂଆଗାଁ ଥାନାରେ ଏକାଧିକ ହତ୍ୟା ଉଦ୍ୟମ, ରାହାଜାନୀ, ଅପହରଣ, ଡକାୟତି, ଗଞ୍ଜେଇ ଚୋରା ଚାଲାଣ ଭଳି ସଙ୍ଗୀନ ମାମଲା ରହିଥିବା ଆଇଆଇସି କହିଛନ୍ତି।

Dharitri – Odisha’s No.1 Odia Daily

Share