ମାଛ ଧରିବା ପାଇଁ ଘେରିବନ୍ଧ ଘାଇ କାଟିଲେ ଦୁର୍ବୃତ୍ତ

ମହାକାଳପଡ଼ା, ୨୩ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ପାଣିଖିଆ ସାନ୍ତାଳୀପଡ଼ା ନଦୀ ଘେରି ବନ୍ଧରେ ଘାଇ ହୋଇ ସମୁଦ୍ର ଲୁଣି ପାଣି ଧାନ ଜମିରେ ପଶିବାରୁ ଥୋଡ ଧାନ ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ସ୍ଥାନୀୟ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀ ଗ୍ରହଣ ନ କରି ଫେରାଇ ଦେଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଏହି ଗ୍ରାମ ନଦୀ ଘେରି ବନ୍ଧରେ କେତେକ ଦୁର୍ବୃତ୍ତ ମଙ୍ଗଳବାର ବିଳମ୍ବିତ ରାତିରେ ମାଛ ଧରିବା ପାଇଁ ଘାଇ କାଟିଥିବା ଜଣାପଡିଛି। ଫଳରେ ଲଘୁଚାପ ପ୍ରଭାବ ଓ ଅମାବାସ୍ୟା ତିଥିରେ ସାମୁଦ୍ରିକ ଜୁଆର ଲୁଣି ପାଣି ଧାନ ଜମିରେ ପଶି ଥୋଡ ବାହାରିବା ଫସଲ ବୁଡ଼ି ଯାଇଥିବା ଫଗଳା ମାରାଣ୍ଡି , ସୁନାରାମ ମାରାଣ୍ଡି , ଲବ ମାରାଣ୍ଡି , ରାମେଶର ମାରାଣ୍ଡି , ଗଜେନ୍ଦ୍ର ମାରାଣ୍ଡି , ମୁଖା ସୋରେନ, ଦୁର୍ଗା ମାରାଣ୍ଡି, ଗୁରୁଭା ହାଁସଦା ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଫଗଳା ମାରାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀ ଗ୍ରହଣ ନ କରି ଫେରାଇ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ତଦନ୍ତ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ କିଶୋର କୁମାର ତରାଇଙ୍କ ମତାମତ ନେବାରେ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା।

Share