ଦିଗପହଣ୍ଡି,୨୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଜନଗହଳି ପୂର୍ଣ୍ଣ ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡ଼ରେ ଥିବା ଷ୍ଟେଟବ୍ୟାଙ୍କ ସମ୍ମୁଖରୁ ୨ ଦୁର୍ବୃତ୍ତ ଜଣେ ମହିଳାଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ ବୀର ଲକ୍ଷ୍ମୀନାରାୟଣପୁର ଗ୍ରାମର ହିନା ନାଇକ ଝିଅ ବାହାଘର ପାଇଁ ସୋମବାର ଇଣ୍ଡିଆନ ବ୍ୟାଙ୍କକୁ ଯାଇ ଜମାଖାତାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଉଠାଇଥିଲେ।
ମଧ୍ୟାହ୍ନ ପ୍ରାୟ ୧୨ ଟାରେ ସାଙ୍ଗରେ ଥିବା ତାଙ୍କ ପୁତୁରା ନାରାୟଣ ନାଇକଙ୍କ ବାଇକରେ ବସି କିଛି ଘରକରଣା କିଣିବାକୁ ଯାଉଥିବା ବେଳେ ୨ ଦୁର୍ବୃତ୍ତ ଏକ କଳାରଙ୍ଗର ପଲସର ବାଇକରେ ତାଙ୍କୁ ବ୍ୟାଙ୍କ ନିକଟରୁ ପିଛା କରିଥିଲେ। ସେମାନେ ଷ୍ଟେଟବ୍ୟାଙ୍କ ସମ୍ମୁଖ ରାସ୍ତାରେ ମହିଳା ଧରିଥିବା ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଆଖି ପିଛୁଳାକେ ବ୍ରହ୍ମପୁର ରାସ୍ତାରେ ଚମ୍ପଟ ମାରିଥିଲେ। ଏନେଇ ହୀନା ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ ପାତ୍ର ଥାନା ମାମଲା ନଂ.୩୮୬/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ସଦଳବଳେ ଘଟଣାସ୍ଥଳରେ ପହଞ୍ଚି କିଛି ବ୍ୟକ୍ତିଙ୍କୁ ପଚରା ଉଚୁରା କରିବା ସହ ବିଭିନ୍ନ ଦୋକାନର ସିସିଟିଭି ଫୁଟେଜ ଗୁଡ଼ିକୁ ଯାଞ୍ଚ କରିଥିଲେ। ହେଲେ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ସହରର ସମସ୍ତ ବ୍ୟାଙ୍କ ଶାଖା , ବସଷ୍ଟାଣ୍ଡ ଓ ବଜାର ଇଲାକାରେ ଥାନା ପକ୍ଷରୁ ପୋଲିସ ମୁତୟନ କରାଯିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି କରାଯାଇଛି।