ରାସ୍ତାକଡ଼ ପାଉଁଶ ଗୁଣ୍ଡ ନେଲା ଶିଶୁର ଜୀବନ: ଖସିଯିବାକୁ ରାଇସ ମିଲ ମାଲିକଙ୍କ ଉଦ୍ୟମ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାସ୍ତାପାଶର୍‌ବରେ ପଡିଥିବା ରାଇସ ମିଲରୁ ନିଷ୍କାସିତ ଉତ୍ତପ୍ତ ପାଊଁଶ ଗୁଣ୍ଡରେ ପଡି ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣେ ନାବାଳକ ଶିଶୁ (୧୨ବର୍ଷ)ଙ୍କ ମୃତ୍ୟୁ ହୋଇଛି। ଘଟଣାଟି ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ପକାଇ ଥିବାବେଳେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସମ୍ପୃକ୍ତ ରାଇସ ମିଲ ମାଲିକଙ୍କୁ ଖସାଇ ଦେବା ପାଇଁ ଜୋରଦାର୍‌ ଉଦ୍ୟମ ଚାଲିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ଗତ ଫେବୃୟାରୀ ମାସ ୨୬ତାରିଖ ଉକ୍ତ ଗ୍ରାମର ପ୍ରତ୍ୟୁଷ ନାମକ ଶିଶୁ ଜଣକ ଗାଧୋଇବା ପାଇଁ ନିକଟସ୍ଥ ଏକ ନଈ ଝାଇଁଯୋରକୁ ସାଇକେଲ ଯୋଗେ ଯାଉଥିଲେ। ସେ ଯିବା ବାଟରେ ରାସ୍ତା କଡ଼ରେ ପଡିଥିବା ରାଇସମିଲରୁ ନିଷ୍କାସିତ ପାଉଁଶ ଗୁଣ୍ଡ ଉପରେ ପଡି ଯାଇ ଗୁରୁତର ଆହତ ହୋଇଥିଲେ। ତାଙ୍କ ଦୁଇ ଗୋଡ଼ ଓ ହାତ ଗୁରୁତର ଭାବେ ପୋଡ଼ି ଯାଇଥିଲା। ଲୋକେ ତାଙ୍କୁ ଉଦ୍ଧାର କରି ଭୁମିକାରେ, ବୁର୍ଲା ହସ୍ପିଟାଲକୁ ନେଇଥିଲେ। ଗତ ୯ ତାରିଖରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କ ଜୀବନ ଚାଲି ଯାଇଥିଲା। ଏହି ଘଟଣା ଏଠାରେ ଆଲୋଡନ ସୃଷ୍ଟି କରିଥିବାବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ପ୍ରଦୁଷଣ ଆଇନ କାନୁନକୁ ବେଖାତିର କରିଥିବା ତଥା ଜାଣିଶୁଣି ଶିଶୁର ଚିକିତ୍ସା ନେଇ ଅବହେଳା କରିଥିବା ସମ୍ପୃକ୍ତ ରାଇସ ମିଲ ମାଲିକଙ୍କୁ ଖସାଇ ଦେବାକୁ କିଛି ଅସାଧୁ ଲୋକ ଉଦ୍ୟମ କରୁଥିବା ସାଧାରଣରେ ଆଲୋଚିତ ହେଉଛି।