ଶୋଚନୀୟ ହୋଇପଡିଛି ରାସ୍ତା: ମରାମତି ପାଇଁ ଦାବି

ନୂଆପଡ଼ା,୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସିଆଲଲଟି ପଞ୍ଚାୟତ କରଙ୍ଗାଭଟାଠାରୁ ଦିଆମୁଣ୍ଡା ଛକ ବିଜୁ ଏକ୍ସପ୍ରେସ ୱେକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଛି। ସୂଚନା ଅନୁଯାୟୀ ଏହି ରାସ୍ତା କରଙ୍ଗାଭଟା ନାଏକ ପଡାଠାରୁ କାଜୁ ବଗିଚା ଦେଇ ଦିଆମୁଣ୍ଡା ଛକଠାରେ ବିଜୁ ଏକ୍ସପ୍ରେସ ୱେକୁ ସଂଯୋଗ କରିଛି। ଏହା ଉପରେ କରଙ୍ଗାଭଟା, ନାଏକପଡା, କାଶିପଲା, ଦିଆମୁଣ୍ଡା, ମୁଣ୍ଡାପଲା ଆଦି ଗାଁର ଲୋକେ ନିର୍ଭର କରନ୍ତି। ଏହାଛଡା ଅନେକ ଚାଷୀଙ୍କ ଜମି ରହିଥିବାରୁ ଧାନ ଅମଳ କରି ସେହି ରାସ୍ତା ଦେଇ ଶଗଡ ଓ ଟ୍ରାକ୍ଟର ଯୋଗେ ଆଣିଥାନ୍ତି। ମାଟି ମୋରମ ରାସ୍ତା ହୋଇଥିବାରୁ ବର୍ଷାରେ ଧୋଇ ହୋଇ ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଖାଲରେ ପାଣି ଜମି କାଦୁଅ ହୋଇଯାଇଥିବାରୁ ଶଗଡ କିମ୍ବା ଟ୍ରାକ୍ଟର ଯିବା ଆସିବାରେ ବହୁତ ଅସୁବିଧା ହେଉଛି। ବିଭାଗୀୟ କର୍ତ୍ତପକ୍ଷ ତୁରନ୍ତ ଏଥପ୍ରତି ଦୃଷ୍ଟିଦେଇ ରାସ୍ତା ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily