ଅଶ୍ୱିନଙ୍କ ନାଁରେ ହେବ ରାସ୍ତା: ମିଳିଲା ଗ୍ରୀନ୍‌ ସିଗ୍‌ନାଲ୍‌

ଚେନ୍ନାଇ,୨୨ା୩: ଭାରତର କିମ୍ବଦନ୍ତୀ ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଗ୍ରେଟର ଚେନ୍ନାଇ କର୍ପୋରେଶନ (ଜିସିସି) ଦ୍ୱାରା ସମ୍ମାନିତ କରାଯିବ। ଜିସିସି ସର୍ବସମ୍ମତି କ୍ରମେ ଓ୍ବେଷ୍ଟ ମାମ୍ବାଲାମସ୍ଥିତ ରାମାକ୍ରୀଷ୍ଣପୁରମ୍‌ ପ୍ରଥମ ଷ୍ଟ୍ରିଟର ନାମକୁ ଅଶ୍ୱିନଙ୍କ ନାମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି, ଯେଉଁଠାରେ ଅଶ୍ୱିନ ରୁହନ୍ତି।
ଏକ ଜାତୀୟ ଇଂଲିଶ ଖବରକାଗଜରେ ପ୍ରକାଶିତ ରିପୋର୍ଟ ମୁତାବକ, କ୍ୟାରମ ବଲ ଇଭେଣ୍ଟ ଓ ମାର୍କେଟିଂ ପ୍ରାଇଭେଟ ଲିମିଟେଡ୍‌ର ସିଇଓ ଏସ୍‌ କାର୍ତ୍ତିକଙ୍କ ଅନୁରୋଧ କ୍ରମେ ରାସ୍ତାର ନାମ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଅଶ୍ୱିନ ଭାରତ ଓ ତାମିଲନାଡୁ ପାଇଁ ଅନେକ ମ୍ୟାଚ ଖେଳିବା ସହ ଅନେକ ସମ୍ମାନ ପାଇଛନ୍ତି। ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ବିବେଚନା କରାଯାଏ ବୋଲି ଜିସିସିର ପ୍ରସ୍ତାବରେ କୁହାଯାଇଛି। ଏହି ପ୍ରସ୍ତାବକୁ ସରକାରଙ୍କ ଅନୁମତି ମଧ୍ୟ ମିଳିସାରିଛି। ଗତ ବର୍ଷ ଡିସେମ୍ବରରେ ଅନ୍ତର୍ଜାତୀୟ ସ୍ତରରୁ ଅବସର ନେଇଥିବା ଅଶ୍ୱିନ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପକ୍ଷରୁ ପ୍ରତିନିଧିତ୍ୱ କରିବେ। ସେ ଭାରତ ପାଇଁ ୧୦୬ ଟେଷ୍ଟ (୫୩୭ ଉଇକେଟ), ୧୧୬ ଦିନିକିଆ (୧୫୬ ଉଇକେଟ) ଓ ୬୫ ଟି୨୦ (୭୨ ଉଇକେଟ) ଖେଳିଛନ୍ତି।

Share
Tags: R Ashwin