ଦାରିଙ୍ଗବାଡି, ୨/୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚଳରେ ରହିଥିବା ସିର୍କାବର୍ଗ ପଞ୍ଚାୟତକୁ ରହିଥିବା ମୁଖ୍ୟ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ରାସ୍ତା ସମ୍ପ୍ରସାରଣ ପରଠାରୁ ରାସ୍ତାର ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାରେ ଯାତାୟାତ ବହୁତ ସମସ୍ୟା ହେଉଛି। ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ସମେତ ସ୍ଥାନୀୟ ପ୍ରଶାସନ ଓ ଜିଲା ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିବାରୁ ସୋମବାର ସକାଳ ୭ ଟାରୁ ସିର୍କାବର୍ଗ ପଞ୍ଚାୟତ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଉକ୍ତ ପଞ୍ଚାୟତର ବଡାଙ୍ଗିଆ ଗ୍ରାମରେ ରାସ୍ତା ଅବରୋଧ କରିଛନ୍ତି। ପ୍ରଥମେ ଅଞ୍ଚଳବାସୀ ସରକାରୀ ବସ ତଥା ପଞ୍ଚାୟତ ହେଡକ୍ୱାର୍ଟରରୁ ଦାରିଙ୍ଗବାଡି ଆସୁଥିବା ଲଷ୍ମୀ ବସକୁ ଅଟକାଇ ଥିଲେ। ଏବେ ଖବର ଲେଖିବା ସୁଦ୍ଧା ଦାରିଙ୍ଗବାଡିଠାରୁ ସିର୍କାବର୍ଗ ଦେଇ କୋଟଗଡ଼ ଯାତାୟାତ କରୁଥିବା ସମସ୍ତ ଗାଡି ମୋଟର ଅଟକି ରହିଛି। କୌଣସି ଅଧିକାରୀ ସେଠାରେ ପହଞ୍ଚି ନ ଥିବା ଜଣାପଡିଛି।