ବଂଚୋ,୧୧।୮(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବଂଚୋ ଗ୍ରାମରେ ଜନୈକ ବ୍ୟକ୍ତି ନିଜ ଜମିରେ ରସ୍ତା ଆସିଥୁବା ଦର୍ଶାଇ ରାସ୍ତା ଖୋଳି ଦେଇଛନ୍ତି। ଏନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ଘର ମାଲିକ ପଚେରି କରିବା ଲକ୍ଷ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବସାଧାରଣ ରାସ୍ତାକୁ ଖୋଳିବା ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ଘର ମାଲିକ ରାସ୍ତା ତାଙ୍କ ପଟ୍ଟାଭୁକ୍ତ ଜମିରେ ଆସିଥିବା କହୁଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି । ଖବର ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଖୋଳା କାମକୁ ବନ୍ଦ କରିଥିବା ସୂଚନା ମିଳିଛି।
ଅନ୍ୟପକ୍ଷେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଜମି ମାପଚୁପ କରିବାକୁ ଆସିଥିଲେ ମଧ୍ୟ ପାଟିତୁଣ୍ଡ ଓ ଉତ୍ତେଜନା ପରିସ୍ଥିତିକୁ ଯୋଗୁ ରାସ୍ତା ମାପଚୁପ ହୋଇପାରିନାହିଁ । ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସୂଚନା ଯୋଗ୍ୟ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ସମୟରେ ଠିକ ଭାବେ ସରକାରୀ ଜମି ଚିହ୍ନଟ କରାଯାଇ ରାସ୍ତା ପ୍ରସ୍ତୁତ କରିଥିବା ବେଳେ ରାସ୍ତା କିପରି ବ୍ୟକ୍ତିଗତ ମାଲିକାନାରେ ରହିଲା ତାହାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି।
ଅନ୍ୟପକ୍ଷେ ରାସ୍ତା ଖୋଳା ଯାଇ ପାଚେରି ନିର୍ମାଣ କରାଯିବା ଉଦ୍ୟମ ଯୋଗୁ ରାସ୍ତା କ୍ରମଶଃ ସଙ୍କୁଚିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଉପଯୁକ୍ତ ମାପଚୁପ୍ କରାଯାଇ ରାସ୍ତା ଚିହ୍ନଟ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ରାଜସ୍ବ ନୀରିକ୍ଷକଙ୍କ କହିବା ଅନୁଯାୟୀ ଏହି ନିର୍ମାଣ କାର୍ଯ୍ୟରେ ବିବାଦୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜମି ମାପଚୁପ କାର୍ଯ୍ୟ ସଠିକ ଭାବେ ଶେଷ ହୋଇନାହିଁ । ଫଳରେ ରାସ୍ତା ଖୋଳୁଥିବା ବ୍ୟକ୍ତି ବିଶେଷଙ୍କୁ କାର୍ଯ୍ୟବନ୍ଦ ରଖିବାକୁ କୁହାଯାଇଛି।