ଲାଞ୍ଜିଗଡ଼, ୨୨।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ୧୭ ଖଣ୍ଡଗାଁର ଲୋକେ ରାସ୍ତା ପାଇଁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ସୋମବାର ସକାଠାରୁ ଭବାନୀପାଟଣା-ରାୟଗଡା ୬ ନମ୍ବର ରାଜ୍ୟ ରାଜପଥ ପୋଖରୀବନ୍ଧ ଛକରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଭବାନୀପାଟଣା-ରାୟଗଡା ୬ ନମ୍ବର ରାଜ୍ୟ ରାଜପଥ ପୋଖରୀବନ୍ଧ ଛକରେ ରାସ୍ତା ଅବରୋଧ ଯୋଗୁ ସୋମବାର ଅଖ ଚକ ଜାମ ହୋଇଯାଇଛି। ମୁକୁନ୍ଦପୁର ଭାୟା କନେର ମୁକୁନ୍ଦପୁର ରାସ୍ତା ନିର୍ମାଣ ଦାବିରେ ଲୋକେ ରାସ୍ତାରୋକ କରିଥିବାବେଳେ ଦୀର୍ଘ ୮ ଘଣ୍ଟା ଯାଏ ରାସ୍ତା ଅବରୋଧ ହୋଇ ରହିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା। ଲୋକେ ନାହିଁ ନ ଥିବା ଅସୁବିଧାର ଶିକାର ହୋଇଥିଲେ। ଖବରପାଇ ଘଟଣାସ୍ଥଳରେ ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର, ଅତିରିକ୍ତ ତହସିଲଦାର ସନ୍ଦୀପ ତୀର୍କି, ବିଶ୍ୱନାଥପୁର ପୋଲିସ ପକ୍ଷରୁ ଥାନାଧିକାରୀ ତୁଳସୀରାମ ଶବର, ଏସଆଇ ବୁଦ୍ଧିଶ୍ୟାମ ମାଝିଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ପହଞ୍ଚି ଲୋକଙ୍କୁ ବୁଝାଶୁଝା ପାଇଁ ଉଦ୍ୟମ କରିଥିଲେ। ତେବେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଲିଖିତ ପ୍ରତିଶ୍ରୁତି ନ ଦେବାଯାଏ ଲୋକେ ଉଠିବୁ ନାହିଁ ବୋଲି ଜିଦରେ ଅଡ଼ି ବସିଥିଲେ।
ଶେଷରେ ଘଟଣାସ୍ଥଳରେ ବିଭାଗୀୟ ଉପଖଣ୍ଡ ଅଧିକାରୀ ପି. ଏକ୍କା, ସହକାରୀ ଯନ୍ତ୍ରୀ ଭଗବାନ ଗଉଡ଼ ପ୍ରମୁଖ ପହଞ୍ଚିବା ପରେ ଲୋକଙ୍କ ଆକ୍ରୋଶ ଦେଖି ରାସ୍ତା ବୁଲି ଦେଖିବାକୁ ଯାଇଥିଲେ। ସେହିପରି ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ମଧ୍ୟ ରାସ୍ତା ପରିଦର୍ଶନ କରିବାପରେ ଲୋକଙ୍କୁ ବୁଝାଶୁଝା କରିବାକୁ ପହଞ୍ଚିଥିଲେ।
ସେହିପରି କେସିଙ୍ଗା ଭାରପ୍ରାପ୍ତ ଏସଡିପିଓ ଲୋକନାଥ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ୧୫ ଦିନ ମଧ୍ୟରେ ରାସ୍ତା ମରାମତି ଓ ଆସନ୍ତା ମାର୍ଚ୍ଚ ସୁଦ୍ଧା ରାସ୍ତା ଓ ପୋଲ ନିର୍ମାଣ ପାଇଁ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ ଅପରାହ୍ନ ୨ଟା ସମୟରେ ଦୀର୍ଘ ୮ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ଥିଲେ।