ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) : ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ (୬୦) । ସୂଚନା ଅନୁସାରେ, ପ୍ରହଲ୍ଲାଦ ନିଜ ସ୍ତ୍ରୀ ସହିତ କାଳିଆବାଲିରୁ ନିଜ ଘରକୁ ଚାଲି ଚାଲି ଯାଉଥିଲେ । ଏହି ସମୟରେ ଏକ ଅଜଣା ଗାଡି ପ୍ରହଲ୍ଲାଦଙ୍କୁ ପଛରୁ ଧକ୍କା ଦେଇଥିଲା ।
ଘଟଣା ସ୍ଥଳରେ ପ୍ରହଲ୍ଲାଦ ଗୁରୁତର ଆହତ ହୋଇଥିଲେ । ଚମାଖଣ୍ଡି ପୋଲିସ ଘଟଣା ସ୍ଥଳରେ ପଂହଁଚି ଆହତ ପ୍ରହଲ୍ଲାଦଙ୍କୁ ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ବଡମେଡ଼ିକେଲକୁ ସ୍ଥାନାନ୍ତର କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଚମାଖଣ୍ଡି ଥାନାରେ ୫୫୮/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି । ଏନେଇ ଥାନା ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ସୂଚନା ଦେଇଛନ୍ତି ।
ତେବେ ଏହି ଘଟଣା ନେଇ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହିତ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ଟ୍ବିଟ କରି କୁହାଯାଇଛି ଯେ, ଗଞ୍ଜାମ ଜିଲା ଛତ୍ରପୁର ତହସିଲର ପ୍ରହଲ୍ଲାଦ ନାୟକ(ପିତା – ରତନ ନାୟକ) ଙ୍କର ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।