ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ପରେ ଉପଯୁକ୍ତ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ଶବ ଜବତ କରିବାକୁ ଦେଉ ନ ଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ପ୍ରଥମ ଦୁର୍ଘଟଣାଟି ଇନ୍ଦ୍ରାବତୀ ବ୍ରିଜ ନିକଟ ସିନାତୋଟା ପାଖରେ ଘଟିଛି। ସାନ ଦେରଲା ଗ୍ରାମର ରୁଦ୍ର ନାଏକ (୧୯) ଓ ବାଲେଶ୍ୱର ନାଏକ (୨୦) ଏବଂ ବଡ଼ ଦେରଲା ଗ୍ରାମର ଖଗେଶ୍ୱର ମାଝୀ (୩୪) ଦୁଇଟି ବାଇକ ଯୋଗେ କୁମ୍ଭାରକାନି ପେଟ୍ରୋଲ ପମ୍ପରୁ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ଡୁମେରପଦର ପଟୁ ଆସୁଥିବା ଏକ ଟ୍ରାକ୍ଟର ସହ ବାଇକ ଦ୍ୱୟର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ରୁଦ୍ର ଓ ଖଗେଶ୍ୱରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ବାଲେଶ୍ୱରଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ନ ମିଳିବାରୁ ଥାନା ଅଧିକାରୀ କୈବଲ୍ୟ ସେଠ ନିଜ ସରକାରୀ ଗାଡ଼ିରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ଶକ୍ତି ସାଗର ତାଙ୍କୁ ଜିଲା ମେଡିକାଲକୁ ରେଫର୍ କରିଛନ୍ତି।
ଦୁର୍ଘଟଣା ପରେ ମୃତକଙ୍କ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଅଡ଼ି ବସିଛନ୍ତି। ଖବର ଲେଖା ହେବା ସୁଦ୍ଧା ମୃତକଙ୍କ ପରିବାର ଲୋକେ ଶବ ଉଠାଇବାକୁ ଦେଉ ନ ଥିବା ବେଳେ ରାସ୍ତା ଉପରେ ବସି ରହିଛନ୍ତି। ଶବ ଆଣିବା ପାଇଁ ପୋଲିସ ପକ୍ଷରୁ ‘ମହାପ୍ରୟାଣ ଗାଡ଼ି’ ପଠାଯାଇଥିଲେ ହେଁ ଲୋକଙ୍କ ଆକ୍ରୋଶ ଯୋଗୁ ଗାଡ଼ିଟି ଖାଲି ହାତରେ ଫେରି ଆସିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ଦଳ ମୁତୟନ ହୋଇ ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି।
ଅନୁରୂପ ଭାବେ କଳାହାଣ୍ଡି-ରାୟଗଡ଼ା ସୀମାନ୍ତ କୋଚବାଇ ବାଇପାସ ନିକଟରେ ଦୁଇଟି ବାଇକ ମଧ୍ୟରେ ଧକ୍କା ହୋଇଛି। କାଶୀପୁର ଥାନା ବଡ଼ ଚେକ୍ନା ଗ୍ରାମର କୁମରମଣି ନାଏକ (୨୭)ଙ୍କ ମୃତ୍ୟୁ ହୋଇଥିବାବେଳେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ତ୍ରିନାଥ ନାୟକ (୪୫) ଓ ସଙ୍କୁଳ ମାଝୀ (୨୬)ଙ୍କୁ ଏକ ବାଇକ ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ପରେ ସଙ୍କୁଳଙ୍କୁ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଥାନା ଅଧିକାରୀ କୈବଲ୍ୟ ସେଠ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି। ଟ୍ରାକ୍ଟର ଚାଳକ ଫେରାର ଥିବା ବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ସହ ଉତ୍ତେଜନା ଲାଗିରହିଛି।