ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ବରଗଡ ଭଟଲି ରାସ୍ତାର ପିପଲମୁଣ୍ଡା ବୁଲାଣି ନିକଟରେ ବୁଧବାର ରାତି ପ୍ରାୟ ୮ ଟା ୩୦ମିନିଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକ ମୃତ୍ୟୁ ବରଣ କରିଛନ୍ତି । ବାଇକ ଚାଳକ ନାମ ଠିକଣା ଜଣା ପଡି ନାହିଁ।
ସୂଚନା ଅନୁଯାୟୀ, ହାଇୱା ଗାଡ଼ି(ଓଡି ୧୭ ଡବ୍ଲୁ ୫୦୦୧) ଭଟଲି ପଟୁ ଆସି ତେଲ ସରି ଯାଇଥିବାରୁ ଉକ୍ତ ବୁଲାଣୀ ନିକଟସ୍ଥ ରାସ୍ତାକଡ଼ରେ ଛିଡ଼ା ହୋଇଥିଲା ସେହି ସମୟରେ ଭଟଲି ପଟୁ ଆସୁଥିବା ହିରୋ ସିଡି ଡିଲକ୍ସ ବାଇକ (ନଂ- ଓଡ଼ି ୩୧କେ ୬୬୬୭) ଛିଡ଼ା ହୋଇଥିବା ହାଇୱା ଗାଡ଼ିକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ଚାଳକ ତଳେ ପଡ଼ିଯାଇଥିବା ବେଳେ ବାଇକଟି ହାଇୱା ପଛପଟେ ଫସିଯାଇଥିଲା। ବାଇକ ଚାଳକଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏନେଇ ଭଟଲି ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।