ନାମାଙ୍କନ ଦାଖଲ ପରେ RJD ପ୍ରାର୍ଥୀଙ୍କୁ ଉଠାଇନେଲା ଝାଡ଼ଖଣ୍ଡ ପୋଲିସ, ୨୧ ବର୍ଷ ପୁରୁଣା ମାମଲାରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୦।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରୋହତାସର ସାସାରାମର ମହାଗଠବନ୍ଧନ ପ୍ରାର୍ଥୀ ସତ୍ୟେନ୍ଦ୍ର ସାହଙ୍କୁ ପୋଲିସ ଗିରଫ କରିଛି। ସୋମବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରଜେଡି ପ୍ରାର୍ଥୀ ସତ୍ୟେନ୍ଦ୍ର ସାହ ନାମାଙ୍କନର ଶେଷ ଦିନରେ ପର୍ଚ୍ଚା ଭରିବାକୁ ଆସିଥିଲେ। ନାମାଙ୍କନ ପତ୍ର ଦାଖଲ କରି ଅଧିକାରୀଙ୍କ କକ୍ଷରୁ ବାହାରିବା ମାତ୍ରେ ପୋଲିସ ତାଙ୍କୁ ଗିରଫ କରିଥିଲା।

ସଦର ଡିଏସପି କହିଛନ୍ତି ଯେ ପ୍ରାୟ ୨୧ ବର୍ଷ ତଳର ଏକ ମାମଲାରେ କୋର୍ଟର ୱାରେଣ୍ଟ ବଳରେ ତାଙ୍କୁ କରଗହର ଥାନା ପୋଲିସ ଗିରଫ କରିଛି। ୨୦୦୪ ମସିହାରେ ଝାଡଖଣ୍ଡର ଗଡ଼ୱା ଥାନାରେ ତାଙ୍କ ନାମରେ ଏଫଆଇଆର ଦାୟର ହୋଇଥିଲା, ଯେଉଁଥିରେ ଗଡ଼ୱା କୋର୍ଟ ସ୍ଥାୟୀ ୱାରେଣ୍ଟ ଜାରି କରିଥିଲେ।

ଗିରଫ ହେବା ପରେ ସତ୍ୟେନ୍ଦ୍ର ସାହ ଏହାକୁ ବିରୋଧୀଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ ଟିକେଟ୍ ମିଳିବା ପରେ ପ୍ରତିଦ୍ୱନ୍ଦ୍ୱୀମାନେ ଷଡଯନ୍ତ୍ର କରି ତାଙ୍କୁ ଗିରଫ କରାଇଛନ୍ତି।

ଅନ୍ୟପକ୍ଷରେ, ତାଙ୍କ ଗିରଫଦାରୀ ପରେ ସମର୍ଥକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ସମର୍ଥକମାନେ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ ଏବଂ ଅନୁମଣ୍ଡଳ କାର୍ଯ୍ୟାଳୟ ବାହାରେ କିଛି ସମୟ ପାଇଁ ଗହଳି ଯୋଗୁଁ ଟ୍ରାଫିକ୍ ଜାମ୍ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

Dharitri – Odisha’s No.1 Odia Daily