ମହାକାଳପଡ଼ା, ୨୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ନଦୀନାଳରୁ ବେଆଇନ ଭାବେ ବାଲି ଉଠାଇ ବଡ଼ ବଡ଼ ଡଙ୍ଗାରେ ଚାଲାଣ କରି ବାଲି ବ୍ୟବସାୟୀମାନେ ବେଶ୍ ଦୁଇପଇସା ରୋଜଗାର କରୁଛନ୍ତି। ଜିଲାର ମହାକାଳପଡ଼ା ଅଞ୍ଚଳ ମହାନଦୀ, ପାଇକା, ଲୁଣା, ଚିତ୍ରୋତ୍ପଳା ଆଦି ନଦୀରୁ ପ୍ରତିଦିନ ବଡ଼ ବଡ଼ ଡଙ୍ଗାରେ ବାଲି ବୋଝେଇ ହୋଇ ବିଭିନ୍ନ ଅଞ୍ଚଳର ନଦୀଘାଟ ତଥା ମହାନଦୀ କୂଳର ବାହାକୁଦ, ଚଉମୁହାଣି ଘାଟ ସମେତ ଲୁଣା ଓ ପାଇକା ନଦୀ ତିଖିରୀ ନଦୀଘାଟ ଆଦି ଅଞ୍ଚଳରେ ଖଲାସ କରାଯାଉଛି। ବାଲି ବ୍ୟବସାୟୀମାନେ ପ୍ରତି ଟ୍ରାକ୍ଟର ମୂଲ୍ୟ ୨ରୁ ୩ ହଜାର ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ନଦୀ ସଇରାତରୁ ବାଲି ଉଠାଇବା ପାଇଁ କଟକଣା ଜାରି କରାଯାଇଛି। ହେଲେ ରାତି ଅଧିଆ ବାଲି ବ୍ୟବସାୟୀମାନେ କେତେଜଣ ଶ୍ରମିକଙ୍କୁ ନିୟୋଜିତ କରୁଥିବା ଦେଖିବାକୁ ମିଳୁଛି। ଏହି ଶ୍ରମିକମାନେ ରାତିରେ ସାମୁଦ୍ରିକ ଜୁଆର ଛାଡ଼ିଯିବା ପରେ ନଦୀରୁ ଜଳସ୍ତର ଖସିଯାଏ, ଅତି ସତର୍କତା ସହ ପାଣିରେ ବୁଡ଼ି ବାଲ୍ଟି ଯୋଗେ ବାଲି ଛାଣି ଡଙ୍ଗାକୁ ଉଠାଇଥାନ୍ତି। ଏହି ବାଲି ଉଠାଇବା ସମୟରେ ଅସାବଧାନତାବଶତଃ ଜୀବନ ପ୍ରତି ବିପଦ ସାବ୍ୟସ୍ତ ହୋଇଥାଏ ବୋଲି ନିୟୋଜିତ ଶ୍ରମିକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ବିପଦପୂର୍ଣ୍ଣ ବାଲି ବୋଝେଇ ଡଙ୍ଗା ନଦୀରେ ଚାଲାଣ ହେଉଥିବା ବେଳେ ଟଳମଳ ହେଉଥିବା ଦେଖିବାକୁ ମିଳେ। ପରିବାର ଦାରିଦ୍ର୍ୟ ଯୋଗୁ ପ୍ରତିପୋଷଣ ପାଇଁ ଦୈନିକ ମଜୁରି ଲାଗିବାକୁ ପଡ଼େ। ଏକ ବଡ଼ ଡଙ୍ଗାରେ ବାଲି ବୋଝେଇ ହେବା ପାଇଁ ୫ରୁ ୬ ଘଣ୍ଟା ସମୟ ଲାଗେ। ଏହା ୬ ରୁ ୭ ଟ୍ରାକ୍ଟର ବାଲି ଚାଲାଣ ହୋଇଥାଏ ବୋଲି କୁହାଯାଉଛି। ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ସ୍ବାଇଁଙ୍କ ସମେତ ବହୁ ବରିଷ୍ଠ ମୁରବି କହିଛନ୍ତି, ବିଶେଷକରି ନଦୀବାଲି ଲଘୁ ଖଣିଜ ସମ୍ପଦ ଅଧୀନ ହୋଇଥିବାରୁ ଜିଲା ଖଣି ଅଧିକାରୀ ଓ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟିଦେବାକୁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ମହାକାଳପଡ଼ା ଭାରପ୍ରାପ୍ତ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରେ ଅଭିଯୋଗକୁ ଭିତ୍ତିକରି ପ୍ରଶାସନ ପକ୍ଷରୁ ବେଆଇନ ବାଲିଘାଟ ଉପରେ ଏନ୍ଫୋର୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯିବ ବୋଲି ସେ କହିଛନ୍ତି।