Ruturaj Gaikwad of Chennai Superkings celebrates his fifty, half century during match 49 of season 13 of the Dream 11 Indian Premier League (IPL) between the Chennai Super Kings and the Kolkata Knight Riders held at the Dubai International Cricket Stadium, Dubai in the United Arab Emirates on the 29th October 2020. Photo by: Ron Gaunt / Sportzpics for BCCI
ଦୁବାଇ,୩୧।୧୦(ପି.ଟି.): ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ ନିଜ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରଭାବିତ କରିଛନ୍ତି। ଶ୍ରେଷ୍ଠ ପ୍ରତିଭାସମ୍ପନ୍ନ କ୍ରିକେଟରମାନଙ୍କ ମଧ୍ୟରୁ ସେ ଅନ୍ୟତମ ବୋଲି ଧୋନୀ କହିଛନ୍ତି। ଗୁରୁବାର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଋତୁରାଜ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରି ଚେନ୍ନାଇ ବିଜୟରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ। ଏଥର ଆଇପିଏଲ୍ ଖେଳି ନ ଥିବା କ୍ରିକେଟରଙ୍କୁ ଅନ୍ତିମ ଏକାଦଶରେ ସାମିଲ କରିବାକୁ ଚେନ୍ନାଇ ନିଷ୍ପତ୍ତି ନେଇଥିଲା। ଫଳରେ ଋତୁରାଜ ଖେଳିବାକୁ ସୁଯୋଗ ପାଇଥିଲେ ଓ ସେ ଏହାର ଫାଇଦା ଉଠାଇଥିଲେ।
ଋତୁରାଜ ନେଟ୍ସରେ ଭଲ ଖେଳୁଥିଲେ, ତେବେ କୋଭିଡ୍ ପଜିଟିଭ ହେବା କାରଣରୁ ସେ ୨୦ ଦିନ ଖେଳରୁ ଦୂରେଇ ରହିଥିଲେ। ସେ ଅଧିକ କଥା କହିବାକୁ ପସନ୍ଦ କରନ୍ତି ନାହିଁ। ତେଣୁ ମ୍ୟାନେଜମେଣ୍ଟ ତାଙ୍କ ପ୍ରତିଭା ଆକଳନ କରିବାରେ ସମର୍ଥ ହୋଇ ନ ଥିଲା। ୨୩ ବର୍ଷୀୟ ଏହି ମହାରାଷ୍ଟ୍ର ବ୍ୟାଟ୍ସମ୍ୟାନ ସବୁପ୍ରକାର ଶଟ୍ ଖେଳିପାରିନ୍ତି ଓ ତାଙ୍କ ଶଟ୍ମାନ ଦେଖବା ପାଇଁ ବେଶ୍ ଉପଭୋଗ୍ୟ ବୋଲି ଧୋନୀ କହିଛନ୍ତି। ତେବେ ଋତୁରାଜ ତାଙ୍କ ପ୍ରଥମ ୩ଟି ଇନିଂସରେ ଯଥାକ୍ରମେ ୦, ୫ ଓ ୦ ରନ ସଂଗ୍ରହ କରିଥିଲେ। କ୍ରିଜ୍ରେ କିଛି ସମୟ ଜମିଯିବା ପରେ ସେ ନିଜ ଇଚ୍ଛା ଅନୁଯାୟୀ ଶଟ୍ ଖେଳିଥାନ୍ତି। ସେହିପରି ଅନ୍ତିମ ଓଭରରେ କ୍ରମାଗତ ୨ଟି ଛକାମାରି ଚେନ୍ନାଇକୁ ଜିତାଇଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଧୋନୀ ପ୍ରଶଂସା କରିଛନ୍ତି। ଚଳିତ ସେସନରେ ଜାଡେଜା ବ୍ୟାଟିଂ ସହିତ ଫିଲ୍ଡିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଧୋନୀ କହିଛନ୍ତି।