ଦୁବାଇ,୯।୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଚାଲିଛି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା। ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଭାରତ ବୋଲିଂ ଆରମ୍ଭ କରିଥିଲା। ଭାରତର ଦମ୍ଦାର ବୋଲିଂ ଆଗରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୫୧ ରନ୍ କରିଥିଲା।
ଜବାବରେ ଭାରତ ୩୮ ଓଭର ଖେଳ ସୁଦ୍ଧା ୩ ଉଇକେଟ ହରାଇ ୧୮୩ ରନ୍ କରିଛି। ଅନ୍ୟପକ୍ଷେ ଭାରତର ଅଧିନାୟକ ରୋହିତ ଶର୍ମା ଫାଇନାଲ ମ୍ୟାଚ୍ରେ ୭୬ ରନ୍ର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହା କୌଣସି ICC ଟୁର୍ଣ୍ଣାମେଣ୍ଟର ଫାଇନାଲରେ ରୋହିତଙ୍କ ସବୁଠାରୁ ବଡ଼ ଇନିଂସ। ରୋହିତ ଭଲ ଲୟରେ ଦେଖାଯାଉଥିଲେ କିନ୍ତୁ ୨୭ତମ ଓଭରରେ ଏକ ଅନାବଶ୍ୟକ ସଟ ଖେଳି ସେ ତାଙ୍କ ଉଇକେଟ ହରାଇ ଥିଲେ। ରୋହିତଙ୍କ ଆଉଟ ପରେ ଷ୍ଟାଣ୍ଡରେ ବସିଥିବା ତାଙ୍କ ସ୍ତ୍ରୀ ରିତିକା ନିରାଶ ହୋଇପଡିଥିଲେ। ଏହି ପ୍ରତିକ୍ରିୟା ଏବେ ଭାଇରାଲ ହୋଇଛି।
ଅନ୍ୟପକ୍ଷେ ରୋହିତଙ୍କ ବ୍ୟାଟିଂ ସମୟରେ ଏକ ଭୟଙ୍କର ଘଟଣା ମଧ୍ୟ ସାମ୍ନାକୁ ଆସିଛି। ରୋହିତ ବ୍ୟାଟିଂ କରିବା ସମୟରେ ଏକ ପୋକ ଗିଳି ଦେଇଥିବା ପରି ମନେ ହେଉଥିଲା। ଏନେଇ ସେ କିଛି ସମୟ କଷ୍ଟ ଅନୁଭବ କରିବା ସହ ଲଗାତାର କାଶୁଥିବା ଦେଖିବାକୁ ମିଳିଥିଲା।