ଗଞ୍ଜାମ, ୩୦।୧୦ (ଅଖିଳ ତରାଇ): ବାତ୍ୟା ମୋନ୍ଥାର ପ୍ରଭାବରେ ଲଗାତାର ବର୍ଷା ଯୋଗୁ ଗଞ୍ଜାମରେ ବନ୍ୟା ଆଶଙ୍କା ଦେଖାଦେଇଛି। ପ୍ରବଳ ବର୍ଷା କାରଣରୁ ଋଷିକୂଲ୍ୟା ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଫଳରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ, ପାଳିବନ୍ଧ, ପୁଇଁତୋଳା ଏବଂ ବିଞ୍ଚଣାପଲି ଓଡ଼ିଆରପି କଲୋନୀ ସମେତ ଅନେକ ଗ୍ରାମ ଜଳମଗ୍ନରେ ରହିଛି। ଏହି ବନ୍ୟା ପରିସ୍ଥିତି ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ନଦୀ ଜଳ ଚାଷ ଜମିରେ ପ୍ରବେଶ କରିଥିବାରୁ ସମସ୍ତ ଧାନ ଚାଷ କ୍ଷେତ୍ର ଜଳମଗ୍ନ ହେବାର ଆଶଙ୍କା ବଢ଼ିଛି। ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ଏହି ଅଞ୍ଚଳର ଚାଷୀମାନେ ଫସଲ ନଷ୍ଟ ହେବା ଭୟରେ ରହିଛନ୍ତି। ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ଏବଂ କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଉଦ୍ଧାରକାରୀ ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।
\