ଋଷଭ ପନ୍ତଙ୍କ ହାତରୁ ଗଲା ଅଧିନାୟକ ପଦ

ନୂଆଦିଲ୍ଲୀ,୫।୫: ଆଇପିଏଲ ୨୦୨୫ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛନ୍ତି ଋଷଭ ପନ୍ତ। ଏହି ଖେଳାଳି ଭଲ ରନ୍‌ ସ୍କୋର କରିପାରୁ ନ ଥିବା ବେଳେ ଦଳ ଲକ୍ଷ୍ନୌ ସୁପରଜିଆଣ୍ଟସ ମଧ୍ୟ ଭଲ ପ୍ରଦର୍ଶନ କରୁନାହିଁ। ଏବେ ଖବର ଆସିଛି ଯେ ଋଷଭ ପନ୍ତ ଟିମ ଇଣ୍ଡିଆର ଅଧିନାୟକ ପଦ ହରାଇଛନ୍ତି। ତାଙ୍କ ବଦଳରେ ଶୁଭମନ ଗିଲ ଟେଷ୍ଟ ଦଳର ପରବର୍ତ୍ତୀ ଉପ-ଅଧିନାୟକ ହୋଇପାରନ୍ତି। ଜସପ୍ରିତ ବୁମରାହ ତାଙ୍କ ଫିଟନେସ କାରଣରୁ ଇଂଲଣ୍ଡ ଟେଷ୍ଟ ସିରିଜର ସମସ୍ତ ପାଞ୍ଚଟି ମ୍ୟାଚ୍‌ ଖେଳିପାରିବେ ନାହିଁ। ତେଣୁ ଗିଲଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯିବ। ସେହି ସମୟରେ ଭବିଷ୍ୟତରେ ମଧ୍ୟ ଟେଷ୍ଟ ଅଧିନାୟକତ୍ୱ ଗିଲଙ୍କ ହାତରେ ଯିବା ଭଳି ମନେ ହେଉଛି। କିନ୍ତୁ ଏହି ସୁଯୋଗ ଋଷଭ ପନ୍ତଙ୍କ ହାତକୁ ଆସିଥାନ୍ତା। କିନ୍ତୁ ହଠାତ ଏହି ଖେଳାଳିଙ୍କ ହାତରୁ ସବୁକିଛି ଖସିଯିବା ପରି ମନେ ହେଉଛି।

ଋଷଭ ପନ୍ତଙ୍କୁ ଲକ୍ଷ୍ନୌ ସୁପରଜିଆଣ୍ଟସ ୨୭ କୋଟି ଟଙ୍କାରେ କିଣିଥିଲା, ଯାହାଫଳରେ ତାଙ୍କ ଦଳ ଚାମ୍ପିଅନ ହୋଇପାରିବ। କିନ୍ତୁ ଏହି ଖେଳାଳି ଭଲ ବ୍ୟାଟିଂ କରିପାରୁନାହାନ୍ତି କି ଅଧିନାୟକତ୍ୱରେ ଫେଲ୍‌ ମାରିଛନ୍ତି। ଏହି ସିଜିନରେ ପନ୍ତ ୧୧ଟି ଇନିଂସରେ କେବଳ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଦୁଇଥର ୦ ରନ ରେ ଆଉଟ ହୋଇଛନ୍ତି। ତାଙ୍କ ନାମରେ ମୋଟ ୬ ସିଙ୍ଗଲ ଡିଜିଟ ସ୍କୋର ଅଛି। କେବଳ ଏତିକି ନୁହେଁ ସେ ଅଧିନାୟକତ୍ୱ କ୍ଷେତ୍ରରେ ମଧ୍ୟ ବିଫଳ ହେଉଥିବା ପରି ମନେ ହେଉଛି। ତାଙ୍କ ମୁହଁରେ ଖରାପ ବ୍ୟାଟିଂର ଚାପ ସ୍ପଷ୍ଟ ଭାବରେ ଦେଖାଯାଉଛି। ସେ ବୋଲରମାନଙ୍କ ଉପରେ ଚିତ୍କାର କରୁଛନ୍ତି। ଯେଉଁଥିରୁ ଏହା ସ୍ପଷ୍ଟ ଯେ ରିଷଭ ପନ୍ତ ଚାପରେ ଭାଙ୍ଗି ପଡୁଛନ୍ତି ଏବଂ ଏହା ଟେଷ୍ଟ ଦଳର ଅଧିନାୟକତ୍ୱ ପାଇଁ ତାଙ୍କର ଦାବି ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି। ଅନ୍ୟପକ୍ଷରେ, ଶୁଭମନ ଗିଲ କେବଳ ଟେଷ୍ଟ ଉପ-ଅଧିନାୟକ ନୁହେଁ ବରଂ ଆଇପିଏଲ୍‌ରୁ ହିଁ ଅଧିନାୟକତ୍ୱ ପାଇଁ ମଧ୍ୟ ନିଜର ଦାବି ରଖିଛନ୍ତି।

ଚଳିତ ଆଇପିଏଲ୍‌ରେ ଶୁଭମନ ଗିଲଙ୍କ ବ୍ୟାଟିଂ ଏବଂ ଅଧିନାୟକତ୍ୱ ଚମତ୍କାର ରହିଛି। ସେ ୧୦ଟି ମ୍ୟାଚ୍‌ରେ ୫୦ ରୁ ଅଧିକ ହାରରେ ୪୬୫ ରନ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ମଧ୍ୟ ୧୬୨ ରୁ ଅଧିକ। ବିଶ୍ୱ ମଧ୍ୟ ତାଙ୍କର ନେତୃତ୍ୱ ଗୁଣକୁ ପ୍ରଶଂସା କରୁଛି। ଗୁଜରାଟ ଦଳ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ଅଛି ଏବଂ ଦଳ ୧୦ ଟି ମ୍ୟାଚ ରୁ ୭ ଟିରେ ବିଜୟୀ ହୋଇଛି। ଏହା ସ୍ପଷ୍ଟ ଯେ ଗିଲଙ୍କ ଏପରି ଅଧିନାୟକତ୍ୱ ପ୍ରଦର୍ଶନ ଟେଷ୍ଟ ଦଳର ଅଧିନାୟକ ହେବାର ଦାବିକୁ ଆହୁରି ଦୃଢ଼ କରୁଛି। ଟିମ୍‌ ଇଣ୍ଡିଆକୁ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତ କରିବାକୁ ପଡିବ ଏବଂ ଏହି ମାସରେ ଦଳ ଘୋଷଣା କରାଯିବ। ଏବେ ପନ୍ତ ଏବଂ ଗିଲଙ୍କ ଭବିଷ୍ୟତରେ କ’ଣ ଲେଖା ହୋଇଛି ତାହା ଦେଖିବାକୁ ବାକି ରହିଲା ।