ମାଂସ ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ଛୁରୀ ମାଡ଼ରେ ଯୁବକ ଗୁରୁତର

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର):ଜଙ୍ଗଲ ପୂଜା ସମୟରେ ମାଂସ ଭାଗବଣ୍ଟାକୁ କେନ୍ଦ୍ରକରି ବାରକୋଟ ଥାନାଅଞ୍ଚଳର ଜଣେ ଯୁବକଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଛୁରୀ ଭୁଷି ହତ୍ୟା ଉଦ୍ୟମ କରିବାପରେ ଫେରାର ହୋଇଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଛୁରୀ ମାଡରେ ଆକ୍ରମଣ ଯୁବକ ଜଣକ ବୁର୍ଲା ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିବା ଜଣାପଡିଛି। ବାରକୋଟ ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ରବିବାର ବାରକୋଟ ଥାନାଅଞ୍ଚଳ ବାସୁପାଲି ଗ୍ରାମର ଚଷା ସମାଜ ଓ ଦଳିତ ସମାଜର ୩୦/୩୫ ପରିବାରର ଏକତ୍ରିତ ହୋଇ ଜଙ୍ଗଲ ପୂଜା କରିବା ନିମନ୍ତେ ନିକଟସ୍ଥ ଅଶୁରଖୋଳ ଗ୍ରାମକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୪ଟା ସମୟରେ ବାସୁପାଲି ଗ୍ରାମର ସୁଶାନ୍ତ ଗଡନାୟକ(୩୫) ନିଶାଶକ୍ତ ଅବସ୍ଥାରେ ସେଠାରେ ପହଞ୍ଚି ନିର୍ଦ୍ଦିଷ୍ଟ ଦଳିତ ସଂପ୍ରଦାୟର ଲୋକଙ୍କୁ ଆକ୍ଷେପ କରି ସେମାନେ ୨ଭାଗ ଲେଖାଏଁ ମାଂସ ଖାଇଦେଲେ ଓ ମାଂସ ସବୁ ଶେଷ ହୋଇଗଲା ବୋଲି ଅଭିଯୋଗ କରିଥିଲା । ଏହି କଥାକୁ ନେଇ ସୁଶାନ୍ତ ସହିତ ଉକ୍ତ ଗ୍ରାମର ଚୂଡାମଣି ପାତ୍ରଙ୍କର ଯୁକ୍ତିତର୍କ ହୋଇଥିଲା ଓ ଚୂଡାମଣି ନମ୍ର ଭାବରେ ଖାଇବା ସ୍ଥାନରୁ ଉଠି ଚାଲିଯାଇଥିଲେ । ଏହି ସମୟରେ ହିମାନ୍ଦ୍ରୀ ପ୍ରଧାନ(୪୯) ଶାନ୍ତି ଶୃଙ୍ଖଳାର ସହିତ ଭୋଗ ଖାଇ ନିଜ ନିଜ ଘରକୁ ଫେରିଯିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ତେବେ ଏକଥା ଶୁଣି ସୁୁଶାନ୍ତ ହଠାତ ଉତକ୍ଷୀପ୍ତ ହୋଇପଡିବା ସହ ଖାଇବା ସ୍ଥାନରୁ ଉଠି ହିମାନ୍ଦ୍ରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏଥିସହ ତା’ର ବାଇକରୁ ଏକ ତୀକ୍ଷ୍ଣ ଛୁରୀ ଆଣି ଏହା ସାହାଯ୍ୟରେ ହିମାନ୍ଦ୍ରୀଙ୍କ ବେକକୁ ଭୁଷି ହତ୍ୟା ଉଦ୍ୟମ କରିବା ସହ ସେଠାରୁ ଫେରାର ହୋଇଯାଇଥିଲା। ଛୁରୀ ଆଘାତରେ ହିମାନ୍ଦ୍ରୀଙ୍କ ବେକର ବାମ ପାର୍ଶ୍ୱରେ ଗଭୀର କ୍ଷତ ସୃଷ୍ଟି ହେବାସହ ସେ ଗୁରୁତର ଆହତ ହୋଇଥିଲେ। ଉପସ୍ଥିତଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରକୋଟ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ରକ୍ତ ଶ୍ରାବ ନକମିବାରୁ ହିମାନ୍ଦ୍ରୀଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବୁର୍ଲା ଡାକ୍ତରଖାନାକୁ ସ୍ତାନାନ୍ତରିତ କରାଯାଇଛି। ଏନେଇ ଆହତ ହିମାନ୍ଦ୍ରୀଙ୍କ ସ୍ତ୍ରୀ ସବିତା ପ୍ରଧାନ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।

Dharitri – Odisha’s No.1 Odia Daily

Share