ସେଲୁନ ବ୍ୟବସାୟରେ ପାଦ ଦେବ ଆରଆଇଏଲ

ମୁମ୍ବାଇ,୫ା୧୧: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ପ୍ରମୁଖ ସଂସ୍ଥା ରିଲାଏନ୍ସ ରିଟେଲ ଜରିଆରେ ଆର୍‌ଆଇଏଲ୍‌ ଆଉ ଏକ ବ୍ୟବସାୟରେ ପ୍ରବେଶ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଚେନ୍ନାଇଭିତ୍ତିକ ସେଲୁନ୍‌ ଓ ସ୍ପା ଚେନ୍‌ ନାଚୁରାଲ୍ସର ୪୯% ଅଂଶଧନ କିଣିବାକୁ ଆର୍‌ଆଇଏଲ୍‌ ଯୋଜନା କରୁଛି। ଏପରିକି ନାଚୁରାଲ୍ସର ମୂଳ କମ୍ପାନୀ ଗ୍ରୁମ୍‌ ଇଣ୍ଡିଆ ସେଲୁନ୍ସ ଆଣ୍ଡ ସ୍ପାର ଦେଶବ୍ୟାପୀ ୬୫୦ ରୁ ଅଧିକ ସେଲୁନ୍‌ ଓ ସ୍ପା ଆଉଟ୍‌ଲେଟ୍‌ ରହିଛି। ଫଳରେ ଆର୍‌ଆଇଏଲ୍‌ ଏଚ୍‌ୟୁଏଲ୍‌ ସହ ସମକକ୍ଷ ହୋଇପାରିବ ବୋଲି କୁହାଯାଉଛି। ସେହିଭଳି ରିଲାଏନ୍ସ ଦ୍ବାରା କମ୍ପାନୀର ୪୯% ଅଧିଗ୍ରହଣ ପରେ ବି ନାଚୁରାଲ୍ସ ସଂସ୍ଥାର ପରିଚାଳନା ଦାୟିତ୍ୱ ନିଜ ହାତରେ ରଖିବ ବୋଲି କୁହାଯାଉଛି। କିନ୍ତୁ ନେଟ୍‌ଓ୍ବର୍କ ସମ୍ପ୍ରସାରଣରେ ରିଲାଏନ୍ସ ବ୍ୟାପକ ସହଯୋଗ ଓ ସହାୟତା ପ୍ରଦାନ କରିବ ବୋଲି ଜଣାପଡିଛି। ସେହିପରି କରୋନା ମହାମାରୀ ସମୟରେ ଦେଶରେ ସେଲୁନ୍‌ ଶିଳ୍ପ ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ କମ୍ପାନୀ (ନାଚୁରାଲ୍ସ) ବିପୁଳ ପରିମାଣର କ୍ଷତି ସହିଥିଲା। ହେଲେ ବର୍ତ୍ତମାନ ରିଲାଏନ୍ସ ଉକ୍ତ କମ୍ପାନୀର ଅଂଶଧନ କ୍ରୟ କରିବା ପରେ ନାଚୁରାଲ୍ସ ପରିସ୍ଥିତିରେ ସୁଧାର ଆସିବା ଯଥେଷ୍ଟ ସମ୍ଭାବନା ରହିଛି। ଆର୍‌ଆଇଏଲ୍‌ କେବଳ ସେଲୁନ୍‌ ନୁହେଁ, ବିଉଟି ପ୍ରଡକ୍ଟ ମଧ୍ୟ ବିକ୍ରି ପାଇଁ ବ୍ୟାପକ ଷ୍ଟୋର ଖୋଲିବ ବୋଲି ଯୋଜନା କରୁଛି। ଅପରପକ୍ଷରେ ପେଟ୍ରୋଲିୟମଠାରୁ ଆରମ୍ଭ କରି ମୋବାଇଲ ସେବା ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସାୟରେ ପ୍ରବେଶ କରିସାରିଥିବା ମୁକେଶ ଅମ୍ବାନୀ ବର୍ତ୍ତମାନ ସେଲୁନ୍‌ ବ୍ୟବସାୟରେ ପ୍ରବେଶ କରିବେ ବୋଲି ଆଶା କରାଯାଉଛି।