Categories: Homeଜାତୀୟ

ରାଞ୍ଚିରେ ଆର୍‌ଆଇଆଇଜି କନ୍‌ଫରେନ୍ସ ଉଦ୍‌ଘାଟିତ

ରାଞ୍ଚି,୩ା୩:ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଗୁରୁବାର ‘ସ୍ଥାୟୀ ଊର୍ଜା ପାଇଁ ସାମଗ୍ରୀ’ ବିଷୟବସ୍ତୁକୁ ନେଇ ରିସର୍ଚ୍ଚ ଆଣ୍ଡ ଇନୋଭେଶନ୍‌ ଇନିସିଏଟିଭ୍‌ ଗ୍ୟାଦରିଂ (ଆର୍‌ଆଇଆଇଜି) କନ୍‌ଫରେନ୍ସ ଉଦ୍‌ଘାଟିତ ହୋଇଯାଇଛି। ନୂଆଦିଲ୍ଳୀର କାଉନ୍‌ସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ର୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ପକ୍ଷରୁ ଏହି କନ୍‌ଫରେନ୍ସର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ୪୦ ଭାରତୀୟ ବିଶେଷଜ୍ଞଙ୍କ ସମେତ ଜି-୨୦ର ୧୬ ସଦସ୍ୟ ଦେଶ ଏବଂ ଅନ୍ତର୍ଜାତୀୟ ସଙ୍ଗଠନର ୨୧ ବିଦେଶୀ ପ୍ରତିନିଧି ଏଥିରେ ଭାଗ ନେଇଥିଲେ। ଭାରତ ସମେତ ଜି-୨୦ ସଦସ୍ୟ ଦେଶଗୁଡ଼ିକ ନିକଟରେ ବହୁ ଖଣିଜ ସମ୍ପଦ ଗଚ୍ଛିତ ହୋଇ ରହିଛି, ଯାହାର ବ୍ୟବହାର ଦ୍ୱାରା ଶକ୍ତି ଉତ୍ପାଦନ କରାଯାଇପାରିବ ବୋଲି ବିଜ୍ଞାନ ଓ ପ୍ରଦ୍ୟୋଗିକ ବିଭାଗ ସଚିବ ତଥା ଆର୍‌ଆଇଆଇଜି ଅଧ୍ୟକ୍ଷ ଡା. ଶ୍ରୀଭରି ଚନ୍ଦ୍ରଶେଖର କହିଛନ୍ତି। କନ୍‌ଫରେନ୍ସରେ ଇଣ୍ଡୋନେସିଆ ଓ ବ୍ରାଜିଲ ମଧ୍ୟ ଆର୍‌ଆଇଆଇଜି ବାବଦରେ ନିଜ ମତ ରଖିଥିଲେ। ଏହି ଅବସରରେ ଡିଏସ୍‌ଆଇଆର୍‌ର ସଚିବ ଏବଂ ସିଏସ୍‌ଆଇଆର୍‌ର ମହାସଚିବ ଡା. କଲଇସେଲ୍‌ବି କହିଛନ୍ତି, ଭାରତ ଅଧ୍ୟକ୍ଷତାରେ ଚଳିତ ବର୍ଷ ଜି-୨୦ ସମ୍ମିଳନୀର ଥିମ୍‌ ‘ବସୁଧୈବ କୁଟୁମ୍ବକମ୍‌’ ଅଥାତ୍‌ ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ରହିଛି। ସ୍ଥାୟୀ ଶକ୍ତି ଉତ୍ପାଦନ କ୍ଷେତ୍ରରେ ସବୁ ଦେଶ ଏକାଠି କାର୍ଯ୍ୟ କରିବା ଆବଶ୍ୟକ। ଏହି ସମ୍ମିଳନୀ ପରେ ଆର୍‌ଆଇଆଇଜିକୁ ନେଇ ଆହୁରି ୩ଟି କାର୍ଯ୍ୟକ୍ରମ ଆସାମର ଡିବ୍ରୁଗଡ, ହିମାଚଳପ୍ରଦେଶର ଧର୍ମଶାଳା ଏବଂ ଡିଉ’ରେ ଅନୁଷ୍ଠିତ ହେବ।

Share