ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ କି? ନା ଏହା କେବଳ ଗୋଟିଏ ଧାରଣା? ଯଦି ଆପଣ ବାଇକ୍‌ ଚଳାଉଛନ୍ତି, ତେବେ ଏହି ପ୍ରଶ୍ନ ଆପଣଙ୍କ ମନରେ ନିହାତି ଆସିଥାଇପାରେ। କାରଣ ପେଟ୍ରୋଲ ଦର ବଢ଼ିବାରେ ଲାଗିଛି ଏବଂ ମାଇଲେଜକୁ ନେଇ ଚିନ୍ତା ବଢ଼ିଛି। କହିବାକୁ ଗଲେ ଏହା କେବଳ ଧାରଣା ନୁହେଁ। ବାଇକ୍‌ର ସ୍ପିଡ ଓ ଇନ୍ଧନ ବ୍ୟବହାର (ମାଇଲେଜ) ମଧ୍ୟରେ ସମ୍ପର୍କ ରହିଛି।ଏହାକୁ ବୁଝିବା ପାଇଁ ରାସ୍ତା ଅବସ୍ଥା, ଇଞ୍ଜିନ କାର୍ଯ୍ୟଦକ୍ଷତା, ଚଳାଇବା ଶୈଳୀ ଭଳି ଅନେକ କାରଣ ଉପରେ ବିଚାର କରିବା ଆବଶ୍ୟକ।

ଇଞ୍ଜିନ କିପରି କାମ କରେ?
ପ୍ରଥମେ ଆପଣଙ୍କୁ ବୁଝିବାକୁ ପଡ଼ିବ ଇଞ୍ଜିନ କିଭଳି କାମ କରେ। କମ୍‌ କିମ୍ବା ମଧ୍ୟମ ସ୍ପିଡ (ଯେମିତି ୪୦-୬୦ କିମି/ଘଣ୍ଟା)ରେ ବାଇକ ଚଳାଇଲେ ଇଞ୍ଜିନ କମ୍‌ RPM (ରିଭୋଲ୍ୟୁସନ ପର୍‌ ମିନିଟ)ରେ କାମ କରେ। ଏହି ସ୍ଥିତିରେ ଇଞ୍ଜିନକୁ କମ ଶକ୍ତି ଲାଗେ ଏବଂ ଇନ୍ଧନ ବ୍ୟବହାର କମ ହୁଏ। କିନ୍ତୁ ସ୍ପିଡ ବଢ଼ାଇଲେ (ଯେମିତି ୮୦ କିମି/ଘଣ୍ଟାରୁ ଅଧିକ), ଇଞ୍ଜିନକୁ ଅଧିକ ଶକ୍ତି ଉତ୍ପାଦନ କରିବାକୁ ପଡିଥାଏ। ଏହା ପାଇଁ ଅଧିକ ଫ୍ୟୁଏଲ ଇଞ୍ଜେକ୍ଟ କରିବାକୁ ପଡ଼ିଥାଏ, ଯାହା ଫଳରେ ମାଇଲେଜ ହ୍ରାସ ପାଏ। ଏହି କାରଣରୁ ବାଇକ୍‌ ବେଗ ବଢ଼ିବା ଦ୍ୱାରା ଅଧିକ ଇନ୍ଧନ ବ୍ୟବହାର କରେ।

ଏୟାର ଡ୍ରାଗ (ବାୟୁ ପ୍ରତିରୋଧ)ର ଭୂମିକା:
ସବୁଠାରୁ ବଡ଼ କାରଣ ହେଉଛି ଏୟାର ଡ୍ରାଗ। କମ ସ୍ପିଡ୍‌ରେ ବାୟୁର ପ୍ରଭାବ କମ ହୁଏ, କିନ୍ତୁ ସ୍ପିଡ ବଢ଼ିବା ସହିତ ଏହା (square of speed)ରେ ବଢ଼ିଯାଏ। ଅର୍ଥାତ ସ୍ପିଡ ଦୁଇଗୁଣ ହେଲେ ପ୍ରତିରୋଧ ୪ ଗୁଣ ବଢ଼େ ଏବଂ ପାୱାର ଆବଶ୍ୟକତା ୮ ଗୁଣ ବଢ଼ିଯାଏ। ହାଇଓ୍ବେରେ ଦ୍ରୁତ ଗତିରେ ବାଇକ୍‌ ଚଳାଇଲେ ଏହି ପ୍ରଭାବ ସ୍ପଷ୍ଟ ଦେଖାଯାଏ। ବାଇକ ଅଧିକ ପେଟ୍ରୋଲ ଖାଏ।

ରାଇଡିଙ୍ଗ ଷ୍ଟାଇଲ୍‌ର ପ୍ରଭାବ:
ବାରମ୍ବାର ଦ୍ରୁତ ଏକ୍ସିଲରେସନ, ହଠାତ ବ୍ରେକ ଓ ଭୁଲ ଗିୟର୍‌ ବ୍ୟବହାର ମାଇଲେଜ ଖରାପ କରେ।
ସ୍ମୁଥ ଏକ୍ସିଲରେସନ, ସଠିକ ଗିୟର୍‌ ଶିଫ୍ଟିଙ୍ଗ ଓ ସ୍ଥିର ସ୍ପିଡ୍‌ ରଖିବା ପେଟ୍ରୋଲ ବଞ୍ଚାଏ।

ଭାରତରେ ଅଧିକାଂଶ ବାଇକ (ଯେମିତି Hero Splendor, Honda Shine, Bajaj Platina) ୪୦-୬୦ କିମି/ଘଣ୍ଟାରେ ସର୍ବୋତ୍ତମ ମାଇଲେଜ ଦିଅନ୍ତି (୬୫-୮୦ କିମି/ଲିଟର୍‌ ପର୍ଯ୍ୟନ୍ତ)।

କମ୍‌ ଗତିର ମଧ୍ୟ ଅସୁବିଧା ଅଛି:
ଅତି କମ୍‌ ସ୍ପିଡ୍‌ରେ (ଯେମିତି ୨୦-୩୦ କିମି/ଘଣ୍ଟାରେ ଲମ୍ବା ସମୟ) ମଧ୍ୟ ମାଇଲେଜ କମିଯାଏ, କାରଣ ଇଞ୍ଜିନ ସଠିକ ତାପମାତ୍ରା ଓ ଏଫିସିଏନ୍ସି(ଦକ୍ଷତା)ରେ କାମ କରିପାରେ ନାହିଁ। ତେଣୁ ବେଶି ଦ୍ରୁତ ନୁହେଁ କିମ୍ବା ଧୀର ନୁହେଁ, ସର୍ବଦା ସନ୍ତୁଳିତ ସ୍ପିଡ୍‌ (୪୦-୬୦ କିମି/ଘଣ୍ଟା) ହିଁ ସର୍ବୋତ୍ତମ ଫ୍ୟୁଏଲ ଏଫିସିଏନ୍ସି ପାଇଁ ଉପଯୁକ୍ତ। ଏହି ସରଳ ନିୟମ ଅନୁସରଣ କରି ଆପଣ ପ୍ରତି ଲିଟରରେ ଅଧିକ ଦୂରତା ପାଇପାରିବେ ଏବଂ ପେଟ୍ରୋଲ ଖର୍ଚ୍ଚ କମାଇପାରିବେ।

ସୁରକ୍ଷିତ ଓ ଇକୋ-ଫ୍ରେଣ୍ଡଲି ରାଇଡିଙ୍ଗ କରନ୍ତୁ!