SYDNEY, AUSTRALIA - DECEMBER 08: Wriddhiman Saha of India A bats during day three of the International Tour match between Australia A and India A at Drummoyne Oval on December 08, 2020 in Sydney, Australia. (Photo by Jason McCawley/Getty Images)
ସିଡ୍ନୀ, ୯।୧୨(ପି.ଟି.)- ଭାରତ ‘ଏ’ ଓ ଅଷ୍ଟ୍ରେଲିଆ ‘ଏ’ ମଧ୍ୟରେ ଅନୁଷ୍ଠିତ ୩ ଦିନିଆ ଓ୍ବାର୍ମଅପ୍ କ୍ରିକେଟ ମ୍ୟାଚ ଡ୍ର ରହିଛି। ଦ୍ୱିତୀୟ ଇନିଂସରେ ଭାରତୀୟ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିବା ବେଳେ ଉଇକେଟ କିପର ରିଦ୍ଧିମାନ ଶାହା ଅର୍ଦ୍ଧଶତକ ହାସଲ ସହ ଅପରାଜିତ ରହି ସମ୍ମାନ ରଖିଛନ୍ତି।
ପୂର୍ବରୁ ଭାରତ ‘ଏ’ ପ୍ରଥମ ଇନିଂସକୁ ୨୪୭/୯ରେ ଘୋଷଣା କରିଥିବାବେଳେ ଅଷ୍ଟ୍ରେଲିଆ ‘ଏ’ ୯ ଉଇକେଟ ହରାଇ ୩୦୬ ରନ କରିଥିବାବେଳେ ମଙ୍ଗଳବାର ଏହାର ପ୍ରଥମ ଇନିଂସ ଘୋଷଣା କରିଥିଲା। ଭାରତର ଦ୍ୱିତୀୟ ଇନିଂସରେ ଆରମ୍ଭ ଭଲ ହୋଇ ନ ଥିଲା। ଦୁଇ ଯୁବ ଓପନର ପୃଥ୍ବୀ ଶ’୧୯ ଓ ଶୁବମନ ଗିଲ ୨୯ ରନରେ ଆଉଟ ହୋଇଥିବାବେଳେ ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରା ଖାତା ଖୋଲିପାରି ନ ଥିଲେ। ମିଡିଲ ଅର୍ଡରରେ ହନୁମା ବିହାରୀ ୨୮ ଓ ପ୍ରଥମ ଇନିଂସରେ ଶତକ ହାସଲକାରୀ ଅଜିଙ୍କ୍ୟ ରାହାନେ ୨୮ ରନକରି ପ୍ୟାଭିଲିୟନ ଫେରିଥିଲେ। ଲୋୟର ଅର୍ଡରରେ କୌଣସି ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲୀୟ ବୋଲରଙ୍କୁ ସାମ୍ନା କରିପାରି ନ ଥିଲେ। ରିଦ୍ଧିମାନ ୧୦୦ ବଲ୍ ଖେଳି ୭ ଚୌକା ସହାୟତାରେ ୫୪ ରନ କରି ଅପରାଜିତ ଥିବାବେଳେ ଭାରତ ୧୮୯/୯ରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ଅଷ୍ଟ୍ରେଲିଆ ‘ଏ’ ପକ୍ଷରୁ ମାର୍କ ଷ୍ଟେକେଟି ୫ ଉଇକେଟ ସଫଳତା ପାଇଥିବାବେଳେ ମାଇକେଲ ନେସେର ଓ କାମେରନ ଗ୍ରୀନ୍ ୨ଟି ଲେଖାଏ ଉଇକେଟ ନେଇଥିଲେ।
୧୩୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ‘ଏ’ ଖେଳ ଶେଷ ବେଳକୁ ୧ ଉଇକେଟ ହରାଇ ୫୨ ରନ କରିଥିଲା। କାର୍ତ୍ତିକ ତ୍ୟାଗୀଙ୍କ ବଲ୍ ହେଲ୍ମେଟରେ ବାଜିବାରୁ ଓ୍ବିଲ୍ ପୁକୋଭସ୍କି ୨୩ ରନରେ ରିଟାୟର୍ଡ ହର୍ଟ ହୋଇଥିବାବେଳେ ମାର୍କୁସ ହାରିସ ୨୫ ରନରେ ଅପରାଜିତ ରହିଥିଲେ। ଭାରତର ଉମେଶ ଯାଦବଙ୍କୁ ଉଇକେଟଟି ମିଳିଥିଲା।