ଅହମଦାବାଦ, ୯ା୩ (ପି.ଟି.): ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ଟି୨୦ କ୍ରିକେଟ ବିଶ୍ୱକପ୍ ପୂର୍ବରୁ ଆୟୋଜିତ ସ୍ବଳ୍ପକାଳୀନ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲେ ପପ୍ ଆଇକନ୍ ତଥା ଦୁଇଥର ଗ୍ରାମ୍ମି ପୁରସ୍କାର ବିଜେତା ରିକି ମାର୍ଟିନ। ସେ ତାଙ୍କର କେତୋଟି ଲୋକପ୍ରିୟ ସଙ୍ଗୀତ ପରିବେଷଣ କରିଥିଲେ। ତନ୍ମଧ୍ୟରେ ‘ଲିଭିନ ଲା ଭିଡା ଲୋକୋ’ ଓ ‘ଦି କପ୍ ଅଫ୍ ଲାଇଫ୍’ ଅନ୍ୟତମ। ତାଙ୍କ ସହିତ ଯୋଗ ଦେଇଥିଲେ ଭାରତୀୟ ସଙ୍ଗୀତଜ୍ଞ ସୁଖବୀର ସିଂ ଓ ଫାଲ୍ଗୁନୀ ପାଠକ। ‘ପ୍ରିନ୍ସ ଅଫ୍ ଭାଙ୍ଗ୍ରା’ ରୂପେ ପରିଚିତ ସୁଖବୀର ତାଙ୍କର ଏକ ବଡ଼ ଡ୍ୟାନ୍ସ ଗ୍ରୁପ୍ ସହ ଲୋକପ୍ରିୟ ପଞ୍ଜାବୀ ହିଟ୍ ‘ଓହ୍ ହୋ ହୋ ହୋ’ ପରିବେଷଣ କରିଥିବାବେଳେ ‘ଦାଣ୍ଡିଆ କୁଇନ୍’ ପାଠକ ପ୍ର୍ରାୟ ୫୦ ନୃତ୍ୟଶିଳ୍ପୀଙ୍କ ସହ ଗୁଜରାଟ ଲୋକ ସଙ୍ଗୀତ ଏବଂ ବଲିଉଡ୍ର କେତୋଟି ହିଟ୍ ଗୀତ ପରିବେଷଣ କରି ଇଭେଣ୍ଟର ଶୁଭାରମ୍ଭ କରିଥିଲେ। ଷ୍ଟାଡିୟମରେ ଭରପୂର ଦର୍ଶକଙ୍କ ଉପସ୍ଥିତିରେ ଲାଟିନୋ କଣ୍ଠଶିଳ୍ପୀ ତଥା ଗୀତିକାର କେତୋଟି ଲୋକପ୍ରିୟ ଗୀତ ଯଥା ‘ମାରିଆ’ ଓ ‘ଲା କୋପା ଡି’ ଲା ଭିଡା’ ଦର୍ଶକଙ୍କ ମନ ମୋହିଥିଲା।