ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ କୃଷି ବିଭାଗ ଜିଲାର ୨୮୦୦ ହେକ୍ଟର ଜମିର ଧାନ ଓ ଅଣଧାନ ଫସଲ ଏଥିରେ ପ୍ରଭାବିତ ହୋଇଥିବା ଆକଳନ କରିଛି। ମାତ୍ର ଫସଲ କ୍ଷତି ନେଇ ଚାଲିଥିବା ଯୁଗ୍ମ ତଦନ୍ତ ପରେ ଏହାର ପରିମାଣ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ଫସଲ କ୍ଷତି ପରେ ଜିଲାର ଚାଷୀମାନେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ଫସଲ ଅମଳ ଆଶା ମଉଳି ଯାଇଥିବାବେଳେ ସରକାରୀ କ୍ଷତିପୂରଣ ସହାୟତାକୁ କ୍ଷତିଗ୍ରସ୍ତ ଚାଷୀମାନେ ଚାହିଁ ବସଛନ୍ତି। ଏହି କ୍ରମରେ ବୁଧବାର ବରଗଡ଼ ବ୍ଲକ ଅନ୍ତର୍ଗତ ବରଗାଁ, ସରଳା ଆଦି ଗ୍ରାମର କ୍ଷତିଗ୍ରସ୍ତ ଚାଷୀମାନେ ପ୍ରଭାବିତ ଫସଲର ନମୁନା ଧରି ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇଥିଲେ। ଫସଲ କ୍ଷତି ବାବଦକୁ କ୍ଷତିପୂରଣ ସହାୟତା ପ୍ରଦାନ ଦାବିରେ ସେମାନେ ଜିଲାପାଳ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ଝଡ଼ବର୍ଷା ଓ କରାମାଡ଼ ଯୋଗୁ ସେମାନଙ୍କ ଉଭୟ ଧାନ ଓ ପରିବା ଫସଲ ନଷ୍ଟ ହୋଇଯାଇଛି। ପରିବା ଫସଲ ଧୂଳିସାତ୍ ହୋଇଯାଇଛି। ସେହିପରି ଧାନ ଗର୍ଭ ଅବସ୍ଥାରେ କେଣ୍ଡା ଧରୁଥିବାବେଳେ କରାମାଡ଼ ଯୋଗୁ ତାହା ଅଧିକ ପ୍ରଭାବିତ ହୋଇଛି। ଧାନକେଣ୍ଡାରୁ ଧାନ ବଦଳରେ ଅଗାଡ଼ି ବାହାରିବା ଏବେଠାରୁ ସ୍ପଷ୍ଟ ହୋଇଯାଇଛି। ଫଳରେ ଏଥର ଫସଲ ଭଲ ହୋଇଥିଲେ ହେଁ କରାମାଡ଼ ଯୋଗୁ ସେମାନେ ଅମଳ ଆଶା ହରାଇ ଦେଇଛନ୍ତି ବୋଲି ଚାଷୀମାନେ କହିଛନ୍ତି।
ଅଣଧାନ ତଥା ପରିବା ଫସଲ ମଧ୍ୟ ଅନୁରୂପ ଭାବେ ପ୍ରଭାବିତ ହୋଇଛି। ଲଙ୍କା, ବାଇଗଣ, ଟମାଟୋ, କଲରା ଆଦି ଫସଲ ନଷ୍ଟ ହୋଇଯାଇଛି। ତାହା ମଧ୍ୟ ଆଉ ଅମଳ ପରେ ବିକ୍ରି କରିବା ସମ୍ଭବ ନୁହେଁ ବୋଲି ଚାଷୀମାନେ କହିଛନ୍ତି। ଏଭଳି ସ୍ଥିତିରେ ଚାଷକାର୍ଯ୍ୟ ସମୟରେ ଫସଲ ପାଇଁ ଖର୍ଚ୍ଚ କରିଥିବା ଟଙ୍କା ଅସୁଲି ତ ଦୂରର କଥା, ପରିବାର ଗୁଜରାଣ ମେଣ୍ଟାଇବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିବ ବୋଲି ଚାଷୀମାନେ କହିଛନ୍ତି। ଫଳରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ଚାଷୀମାନେ ନିବେଦନ କରିଛନ୍ତି। ବରଗାଁର ଡାକ୍ତର ପ୍ରଧାନ, ରାଜେନ୍ଦ୍ର ଖମାରୀ, ସରଳାର ଦିଲୀପ ପ୍ରଧାନ, ପ୍ରମୋଦ ପ୍ରଧାନଙ୍କ ସମେତ ଶତାଧିକ ଚାଷୀ ଦାବିପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।