ବରଗଡ଼/ଗାଇସିଲେଟ୍,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍ ଧାନବିକ୍ରି ପାଇଁ ପଞ୍ଜୀକୃତ ହୋଇ ପାରି ନାହାନ୍ତି। ଆବଶ୍ୟକ କାଗଜାତ୍ ସହିତ ଆବେଦନ ସତ୍ତ୍ୱେ ପଞ୍ଜୀକୃତରୁ ବାଦ୍ ପଡ଼ିଥିବା ଯୋଗୁ ସମ୍ପୃକ୍ତ ଚାଷୀମାନଙ୍କୁ ଧାନବିକ୍ରି ଟୋକନ ମିଳିପାରି ନାହିଁ। ଫଳରେ ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀଙ୍କ ଖରିଫ୍ ଧାନ ବିକ୍ରି କରି ପାରି ନାହାନ୍ତି ଏବଂ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜିଲାର ଗାଇସିଲେଟ୍ ବ୍ଲକ ଅନ୍ତର୍ଗତ ନାଥପାଲି ଗ୍ରାମର ଜଣେ କ୍ଷୁଦ୍ରଚାଷୀ ପ୍ରସନ୍ନ କୁମ୍ଭାର ଏଭଳି ପରିସ୍ଥିତିରେ ପଡ଼ି ସରକାରୀ ସହାୟକ ମୂଲ୍ୟରେ ଧାନବିକ୍ରି କରି ନ ପାରିବା ଏବଂ ଅମଳ ୧୫ ବସ୍ତା ଧାନକୁ ଅନ୍ୟପାଖରେ ବନ୍ଧା ପକାଇବା ଭଳି ଏକ ଘଟଣା ସାମ୍ନାକୁ ଆସିଛି।
ସମ୍ପୃକ୍ତ ଚାଷୀ ପ୍ରସନ୍ନ କହିଛନ୍ତି, ଖରିଫ୍ରେ ସେ ପ୍ରାୟ ସାଢ଼େ ୩ ଏକର ଜମିରେ ଧାନଚାଷ କରିଥିଲେ। ଅଣଜଳସେଚିତ ଜମି ହୋଇଥିବା ଯୋଗୁ ଗଭୀର ନଳକୂପର ପାଣି ମାଧ୍ୟମରେ ସେହି ଚାଷ ହୋଇଥିଲା। ଚାଷ ସମୟରେ ବାରମ୍ବାର ବିଦ୍ୟୁତ କାଟ୍ କରାଯିବାରୁ ଫସଲ ସେତେ ଭଲ ହୋଇ ନ ଥିଲା। ତଥାପି କମ୍ ଧାନ ଅମଳ ହୋଇଥିଲା। ଫଳରେ ସେହି ଧାନ ବିକ୍ରି ପାଇଁ ନିର୍ଦ୍ଧାରିତ ସମୟରେ ସେ ସ୍ଥାନୀୟ ଡାଙ୍ଗବାହାଲ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ତାଙ୍କୁ ଧାନବିକ୍ରି ଟୋକନ ମିଳିପାରି ନାହିଁ। ଏ ନେଇ ସେ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଉପଜିଲାପାଳ, ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଅଭିଯୋଗ କରିଥଲେ। ମାତ୍ର କିଛି ସୁଫଳ ମିଳି ନ ଥିବା ପ୍ରସନ୍ନ କହିଛନ୍ତି।
ଅନ୍ୟପଟେ ଆସନ୍ତା ୨୬ରେ ପ୍ରସନ୍ନଙ୍କ ନାତୁଣୀଙ୍କ ବାହାଘର ଅଛି। ବାହାଘର ସମୟରେ ନାତୁଣୀଙ୍କୁ ଉପହାର ଦେବା ପାଇଁ ହାତରେ ଅର୍ଥାଭାବ ରହିଛି। ଫଳରେ ସେ ନିରୁପାୟ ହୋଇ ଶେଷରେ ସେ ଅନ୍ୟଜଣଙ୍କ ପାଖରେ ଅମଳ ହୋଇଥିବା ୧୫ ପ୍ୟାକେଟ୍ ଧାନକୁ ଅନ୍ୟଜଣଙ୍କ ପାଖରେ ୧୫ହଜାର ଟଙ୍କାରେ ବନ୍ଧା ପକାଇ ଦେଇଥିବା ପ୍ରସନ୍ନ କହିଛନ୍ତି। ଧାନବିକ୍ରି ଟୋକନ ଆସିଲେ ସେହିଧାନକୁ ଆଣି ଧାନକ୍ରୟ କେନ୍ଦ୍ରରେ ବିକିବେ ଏବଂ ୧୫ ହଜାର ଟଙ୍କା ପରିଶୋଧ କରିବେ ବୋଲି ପ୍ରସନ୍ନ ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ଡାଙ୍ଗବାହାଲ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ସୁଶିଲ ସାହୁଙ୍କୁ ପଚାରିବାରୁ ପ୍ରସନ୍ନ ଧାନବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ। ତାଙ୍କ ଭଳି ଆହୁରି ଚାଷୀଙ୍କ ମଧ୍ୟ ସେଭଳି ଟୋକନ ଆସି ନ ଥିବା ସାହୁ କହିଥିଲେ।