ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନବିକ୍ରି ସମସ୍ୟା ଥମିବାର ନାଁ ନେଉ ନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଛି। ମାତ୍ର ବିଭିନ୍ନ ଆଳ ଦେଖାଇ ତାକୁ ଉଠାଯାଉ ନାହିଁ। କେତେବେଳେ ଧାନର ଗୁଣମାନ ତ ଆଉକେବେ ଟାର୍ଗେଟ୍ ଅଭାବ ଦର୍ଶାଇ ସେଭଳି ପରିସ୍ଥିତି ସୃଷ୍ଟି କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ସୋମବାର ଜିଲାର ଭେଡ଼େନ ବ୍ଲକ ଖୁଣ୍ଟପାଲି ମଣ୍ଡି ଉପରେ ନିର୍ଭରଶୀଳ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ସେମାନେ ଧାନ ଉଠାଣ ଦାବିରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ଖୁଣ୍ଟଲିପାଲି ମାର୍କେଟ୍ ୟାର୍ଡ଼(ମଣ୍ଡି)ରୁ ସଂକ୍ରୀଡ଼ା ପ୍ରାଥମିକ କୃଷି ସମବାୟ ସଂସ୍ଥା(ପାକ୍ସ) ଜରିଆରେ ଧାନକିଣା ଚାଲିଛି। ତେବେ ଏହି ମଣ୍ଡିରେ ବିକ୍ରି ଅପେକ୍ଷାରେ ବହୁ ପରିମାଣରେ ଧାନ ପଡ଼ି ରହିଛି। ମାତ୍ର ମିଲର୍ସଙ୍କୁ ଧାନ ଉଠାଣ ଟାର୍ଗେଟ୍(ଆଲଟ୍ମେଣ୍ଟ) ମିଳୁ ନଥିବା ଦର୍ଶାଇ ଉକ୍ତ ମଣ୍ଡିରୁ ଧାନ କିଣାଯାଉ ନାହିଁ। ଫଳରେ ଚାଷୀଙ୍କୁ ମିଳିଥିବା ଟୋକନର ଧାନବିକ୍ରି ଅବଧି ସରି ଯାଉଥିବା ଚାଷୀମାନେ କହିଛନ୍ତି। ଏଭଳି ସ୍ଥିତିରେ ଚାଷୀମାନେ ଖରିଫ ଚାଷକାର୍ଯ୍ୟ ମଧ୍ୟ ଆରମ୍ଭ କରି ପାରୁ ନଥିବାବେଳେ ବର୍ଷାରେ ଧାନଭିଜି ନଷ୍ଟ ହୋଇ ବସୁଛି। ଫଳରେ ମଣ୍ଡିରେ ପଡ଼ିଥିବା ଧାନକୁ ତୁରନ୍ତ ଉଠାଇବାକୁ ଚାଷୀମାନେ ଦାବି କରିଛନ୍ତି। ଧିରେନ୍ଦ୍ରନାଥ ଦେବତା, ଜି. ଗୋବିନ୍ଦ, ବିକାଶ ବିଶି, ଗଜାନନ ଝାଙ୍କରଙ୍କ ସମେତ ଅନେକ ଚାଷୀ ଦାବିପତ୍ର ପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଚାଷୀନେତା ରମେଶ ମହାପାତ୍ର, ସୁରେଶ ନେକାଣ୍ଟି ସେଠାକୁ ପହଞ୍ଚି ଚାଷୀଙ୍କ ଦାବିକୁ ସମର୍ଥନ ଜଣାଇଥିଲେ।