ରାଇସ୍‌ମିଲରେ ଘୋଟାଲା ଘଟଣା: ଜିଲାପାଳଙ୍କ ନିର୍ଦ୍ଦେଶରେ ଗଚ୍ଛିତ ଧାନ ଚାଉଳକୁ…

ପୁରୁଷୋତ୍ତମପୁର,୩୦ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଳକ ବାଲିଆ ଗ୍ରାମରେ ମା’ ତାରିଣୀ ରାଇସ୍‌ ମିଲରେ ହୋଇଥିବା ଘୋଟାଲା ଓ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଜାଲ୍‌ ଡିଜିଟାଲ ଦସ୍ତଖତକୁ ନେଇ ଦୀର୍ଘ ଏକମାସରୁ ଊର୍ଦ୍ଧ୍ୱ ହେଲା ଖୋଳତାଡ଼ ଲାଗିରହିଥିବା ବେଳେ ଏହା ସମଗ୍ର ଗଞ୍ଜାମ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଗଚ୍ଛିତ ଧାନ ଚାଉଳକୁ ଫିଜିକାଲି ଭେରିଫିକେସନ କରିବାରେ ମିଲ୍‌ମାଲିକ ବାରମ୍ବାର ଅସହଯୋଗ କରିବାକୁ ନେଇ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଶନିବାର ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଓ ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀଙ୍କ ତତ୍ତ୍ୱାବଧାନରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟଙ୍କ ସମେତ ଯୋଗାଣ ବିଭାଗ ଓ ଅନ୍ୟ ବିଭାଗୀୟ ୧୬ ଜଣ କର୍ମଚାରୀଙ୍କୁ ନେଇ ଗଠିତ ଦୁଇଟି ସ୍ବତନ୍ତ୍ର ଟିମ୍‌ ମିଲ୍‌ ଓ ଗୋଦାମରେ ଏକକାଳୀନ ଚଢ଼ାଉ କରିଥିଲେ। ଏଥିରେ ଗଚ୍ଛିତ ଭାବେ ରହିଥିବା ଧାନଚାଉଳର ମାନକୁ ଯାଞ୍ଚ କରିଥିଲେ। ଏହାସହ ଏହି ଗଚ୍ଛିତ ଧାନ, ଚାଉଳ ଓ ଅଖାକୁ ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ବ୍ଲକର ୨୦ଟି ମିଲ୍‌କୁ ୭ ଦିନ ମଧ୍ୟରେ ହସ୍ତାନ୍ତର କରାଯିବା ନେଇ ଜିଲା ଯୋଗାଣ ଅଧିକାରୀ କହି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ମା’ ତାରିଣୀ ରାଇସ୍‌ ମିଲ୍‌ ସରକାରଙ୍କୁ ବାକି ଥିବା ଧାର୍ଯ୍ୟ ପରିମାଣ ଧାନ ଓ ଚାଉଳ ଗୋଦାମରେ ଷ୍ଟକର ଯାଞ୍ଚରେ ଅସହଯୋଗ କରିବାକୁ ନେଇ ଗତ ୭ ତାରିଖରେ ୨ଟି ଗୋଦାମକୁ ଜଉମୁଦ ଦେଇ ସିଲ୍‌ କରାଯାଇଥିଲା। ପୁଣି ଗତ ୧୯ ତାରିଖରେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ତହସିଲଦାର, ପୋଲିସ ଓ ଜିଲା ଯୋଗାଣ ଅଧିକାରୀ ତଦନ୍ତରେ ଆସିଥିଲେ ମଧ୍ୟ ମିଲରଙ୍କ ଅସହଯୋଗରୁ ଜଉମୁଦ ସିଲ୍‌ ଖୋଲି ପେପର ସିଲ କରିଥିଲେ।