ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ରାଇସ ମିଲରୁ ନିଷ୍କାସିତ ଉତ୍ତପ୍ତ ପାଊଁଶ ଗୁଣ୍ଡରେ ପଡି ବଇପୁର ଗ୍ରାମରାଜଣେ ନାବାଳକ ଶିଶୁ ପ୍ରତ୍ୟୁଷ ଭଏନା(୧୧)ଙ୍କ ମୃତ୍ୟୁ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ହୋଇଛି। ପୋଲିସ୍ ଏହି ଘଟଣାରେ ନିଜ ପଟୁ ଏତଲା କରି ସମ୍ପୃକ୍ତ ରାଇସ୍ ମିଲର ମାଲିକଙ୍କୁ ବୁଧବାର ଗିରଫ କରିଛି।
ଗିରଫ ରାଇସ୍ ମିଲ୍ ମାଲିକମାନେ ହେଲେ, ସମ୍ବଲପୁର ଜିଲା ବୁର୍ଲା ଥାନା ବୁର୍ଲା ଏନଏସି ପାଖରେ ରହୁଥିବା ଅନିଲ ଅଗ୍ରୱାଲ (୫୫) ଏବଂ କ୍ଷେତରାଜପୁରର କହ୍ନେଇଲାଲ ଅଗ୍ରୱାଲ(୬୨) । ସେମାନଙ୍କ ବିରୋଧରେ ରୁଷୁଡା ପୋଲିସ୍ ଫାଣ୍ଡି ଅଧିକାରୀ ପ୍ରମୋଦ କୁମାର ସାହୁଙ୍କ ଏତଲାକ୍ରମେ ଭେଡେନ ଥାନାରେ ବିଏନଏସ୍- ୧୦୬(୧)ରେ ଏକ ମାମଲା (ନଂ-୮୪/୨୫) ରୁଜୁ ହୋଇଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ, ଗତ ଫେବୃୟାରୀ ମାସ ୨୬ତାରିଖ ଉକ୍ତ ଗ୍ରାମର ପ୍ରତ୍ୟୁଷ ନାମକ ଶିଶୁ ଜଣକ ଗାଧୋଇବା ପାଇଁ ନିକଟସ୍ଥ ଏକ ନଈ ଝାଇଁଯୋରକୁ ସାଇକେଲ ଯୋଗେ ଯାଉଥିଲେ। ସେ ଯିବା ବାଟରେ ରାସ୍ତା କଡ଼ରେ ପଡିଥିବା ରାଇସମିଲରୁ ନିଷ୍କାସିତ ପାଉଁଶ ଗୁଣ୍ଡ ଉପରେ ପଡି ଯାଇ ଗୁରୁତର ଆହତ ହୋଇଥିଲେ । ତାଙ୍କ ଦୁଇ ଗୋଡ଼ ଓ ହାତ ଗୁରୁତର ଭାବେ ପୋଡ଼ି ଯାଇଥିଲା l
ଲୋକେ ତାଙ୍କୁ ଉଦ୍ଧାର କରି ଭୁମିକାରେ, ବୁର୍ଲା ହସ୍ପିଟାଲକୁ ନେଇଥିଲେ l ଗତ ୯ ତାରିଖରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଗତ ୧୨ତାରିଖ ତାଙ୍କ ଜୀବନ ଚାଲି ଯାଇଥିଲା। ଏହି ଘଟଣା ଏଠାରେ ଆଲୋଡନ ସୃଷ୍ଟି କରିଥିବାବେଳେ ସମ୍ପୃକ୍ତ ରାଇସ୍ ମିଲ୍ ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା। ଏପରିକି ରିଇସ୍ ମିଲ୍ ଆଗରେ ମୃତ ଶିଶୁର ଶବ ରଖି ସ୍ଥାନୀୟ ଲୋକେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।