ସିଟି ସେଣ୍ଟର ଦଖଲ ପାଇଁ ରେଜା ପହଲବୀଙ୍କ ଆହ୍ବାନ

ତେହରାନ,୧୧ା୧: ଇରାନରେ ଅତ୍ୟଧିକ ମୁଦ୍ରାସ୍ଫୀତି ଓ ଆର୍ଥତ୍କ ସଙ୍କଟକୁ ନେଇ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ବହିଷ୍କାର ଦାବିରେ ୨ ସପ୍ତାହ ହେଲା ବିକ୍ଷୋଭ ଜାରି ରହିଥିବାବେଳେ ଏବେ ତାହା ନୂଆ ମୋଡ଼ ନେଇଛି। ସେଠାର କ୍ଷମତାଚ୍ୟୁତ ଶେଷ ରାଜା ମୋହମ୍ମଦ ରଜା ଶାହ ପହଲବୀଙ୍କ ପୁଅ କ୍ରାଉନ୍‌ ପ୍ରିନ୍ସ ରଜା ପହଲବୀ ଦେଶର ସିଟି ସେଣ୍ଟରଗୁଡ଼ିକୁ ଦଖଲକୁ ନେବା ଲାଗି ପ୍ରସ୍ତୁତି ପାଇଁ ଶନିବାର ବିକ୍ଷୋଭକାରୀଙ୍କୁ ଆହ୍ବାନ ଦେଇଛନ୍ତି। ସେ ସ୍ବଦେଶ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି।
ଇରାନରେ ମୁଦ୍ରାସ୍ଫୀତି ଏତେ ବଢ଼ିଯାଇଛି ଯେ ଲୋକଙ୍କ ପାଇଁ ଚଳିବା କଷ୍ଟକର ହୋଇପଡ଼ିଛି। ଏହାର ପ୍ରତିବାଦରେ ସରକାର ବିରୋଧୀ ବିକ୍ଷୋଭ ଲାଗିରହିଥିଲାବେଳେ ଏବେ ତାହା ସାରା ଦେଶକୁ ବ୍ୟାପିଛି। ଏବେ ଉକ୍ତ ବିକ୍ଷୋଭ ରାଜନୈତିକ ରୂପ ନେଇଥିବାବେଳେ ଇସ୍‌ଲାମୀୟ ଶାସକମାନଙ୍କୁ କ୍ଷମତାରୁ ଓହରିଯିବାକୁ ବିକ୍ଷୋଭକାରୀ ଆହ୍ବାନ ଦେଇଛନ୍ତି।
ପହଲବୀ ପ୍ରାୟ ୫୦ ବର୍ଷ ହେଲା ଆମେରିକାରେ ନିର୍ବାସନ ଜୀବନଯାପନ କରୁଛନ୍ତି। ତେହରାନ ଓ ଅନ୍ୟ ସହରରେ ଆନ୍ଦୋଳନ ଜାରି ରହିବ ବୋଲି ସେ ଏକ ଭିଡିଓ ବାର୍ତ୍ତା ଏବଂ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଘୋଷଣା କରିଛନ୍ତି। ଜାତୀୟ ବିପ୍ଳବ ବିଜୟ ସମୟରେ ସେ ଇରାନ ଫେରି ଆନ୍ଦୋଳନକାରୀଙ୍କ ସହ ସାମିଲ ହେବେ ବୋଲି କହିଛନ୍ତି। ପହଲବୀଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ବହୁସଂଖ୍ୟାରେ ବିକ୍ଷୋଭକାରୀ ଖୋଲା ଆହ୍ବାନ ଦେଇଛନ୍ତି। ୧୯୭୯ ଇସ୍‌ଲାମିକ୍‌ ବିପ୍ଳବ ସମୟରେ ତାଙ୍କୁ କ୍ଷମତାଚ୍ୟୁତ କରାଯାଇଥିଲା। ଅର୍ଥନୀତିକୁ ଟାର୍ଗେଟ କରିବା ସହ ସର୍ବସାଧାରଣ ସ୍ଥାନଗୁଡ଼ିକୁ କବ୍‌ଜା କରିବା ଦ୍ୱାରା ସରକାରଙ୍କ ଉପରେ ଚାପ ବଢ଼ାଇବାକୁ ସେ ଇରାନବାସୀଙ୍କୁ ନିବେଦନ କରିଛନ୍ତି। ବିଭିନ୍ନ ସେକ୍ଟରରେ ନିୟୋଜିତ କର୍ମଚାରୀମାନଙ୍କୁ କାମ ବନ୍ଦ କରି ଆନ୍ଦୋଳନରେ ଯୋଗଦେବାକୁ ପହଲବୀ ଆହ୍ବାନ ଦେଇଛନ୍ତି। ବିଶେଷକରି ପରିବହନ, ତୈଳ, ଗ୍ୟାସ୍‌ ଓ ଶକ୍ତି ସେକ୍ଟରରେ ନିୟୋଜିତ କର୍ମଚାରୀ ଓ ଶ୍ରମିକମାନଙ୍କୁ ଦେଶବ୍ୟାପୀ ଧର୍ମଘଟ ଆରମ୍ଭ କରିବାକୁ ସେ କହିଛନ୍ତି।

 

Dharitri – The Largest & Most Trusted Odia Daily

Share