ନୂଆଦିଲ୍ଲୀ,୧୯ା୨ (ପିଟି/ଏଜେନ୍ସି):୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାବେଳେ ଉକ୍ତ ଡେଡ୍ଲାଇନ୍ ପାଖେଇ ଆସିଲାଣି। ଏହି ପରିପ୍ରେକ୍ଷୀରେ ସୁରକ୍ଷା ବଳର ରାଡାରରେ ୪ ବରିଷ୍ଠ କମାଣ୍ଡରଙ୍କ ସମେତ ପ୍ରାୟ ୩୦୦ ମାଓବାଦୀ ରହିଥିବା ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ କେବଳ ମାଓବାଦୀଙ୍କୁ ସମୂଳେ ନାଶ କରିଦେଲେ ହେବନାହିଁ, ଆଗକୁ ଏହି ବାମ କଠୋରପନ୍ଥୀ ବିଚାରଧାରା ଯେପରି ମୁଣ୍ଡ ଟେକି ନ ପାରିବ ସେଥିଲାଗି ସମାବେଶୀ ବିକାଶ ସାଙ୍ଗକୁ ପ୍ରଭାବିତ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ସମସ୍ୟାଗୁଡ଼ିକର ସମାଧାନ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଛି। ନିଷିଦ୍ଧ ଘୋଷିତ ସିପିଆଇ (ମାଓଇଷ୍ଟ) କେନ୍ଦ୍ରୀୟ କମିଟି (ସିସି)ର ୪ ଶୀର୍ଷ ସଦସ୍ୟ ହେଲେ ଶିଶିର ବେସ୍ରା ଓରଫ୍ ଭାସ୍କର, ଦେବଜୀ ଓରଫ କୁମ୍ଭ ଦାଦା ଓରଫ୍ ଚେତନ୍, ରମନ୍ନା ଓରଫ ଗଣପତି ଓରଫ୍ ଲକ୍ଷ୍ମଣ ରାଓ ଏବଂ ମଲ୍ଲାହ ରାଜା ରେଡ୍ଡୀ ଓରଫ୍ ସାଗର। ଏମାନଙ୍କୁ ଜୀବନ୍ତ ହେଉ କି ମୃତ ଧରିବା ପାଇଁ ସୁରକ୍ଷା ସଂସ୍ଥାଗୁଡ଼ିକ ଲାଗିପଡ଼ିଛନ୍ତି। ଛତିଶଗଡ଼-ତେଲଙ୍ଗାନା ସୀମାରେ ଦେବଜୀ ଓ ତାଙ୍କ ଦ୍ୱିତୀୟ କମାଣ୍ଡ୍ କେସା ସୋଧି ଉପସ୍ଥିତ ଥିବା ନେଇ ମଙ୍ଗଳବାର ଗୋଇନ୍ଦା ସୂଚନା ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ ଏକ ବଡ଼ ଅପରେଶନ୍ ଆରମ୍ଭ ହୋଇଛି। ଅଧିକାରୀମାନେ କହିଛନ୍ତି, ଓଡ଼ିଶାରେ ଆତ୍ମଗୋପନ କରିଥିବା ରେଡ୍ଡୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ବରିଷ୍ଠ କମାଣ୍ଡର ଏହି ଅଞ୍ଚଳରେ ସକ୍ରିୟ ରହିଛନ୍ତି। ସେମାନେ ସମସ୍ତେ ଆତ୍ମସମର୍ପଣ କରିବା ଅନୁଚିତ। ନଚେତ୍ ମାର୍ଚ୍ଚ ଶେଷ ସୁଦ୍ଧା ସେମାନଙ୍କୁ ନିପାତ କରାଯିବ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ଏହି ମାଓବାଦୀମାନଙ୍କୁ ଧରାଇଦେଲେ ୫ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଦିଆଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଛି। ସଙ୍ଗଠନରେ ବିଶୃଙ୍ଖଳା, ଉତ୍ପୀଡ଼ନ ଓ ବାହ୍ୟ ଚାପ ଯୋଗୁ ମାଓବାଦୀ କ୍ୟାଡରମାନେ ଆତ୍ମସମର୍ପଣ କରିବାରେ ଲାଗିଛି। ଯେଉଁମାନେ ଅସ୍ତ୍ରତ୍ୟାଗ କରୁନାହାନ୍ତି, ସେମାନଙ୍କୁ ଧରିବା ପାଇଁ ଯବାନମାନେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି।
ପ୍ରକାଶ ଯେ ଛତିଶଗଡ଼ର ବିଜାପୁର, ସୁକ୍ମା ଓ ନାରାୟଣପୁର ଜିଲାରେ ମାଓବାଦ ସୀମିତ ରହିଥିବା ନେଇ ୨୦୨୫ ଅକ୍ଟୋବରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ଲାଲବାହିନୀ ଦ୍ୱାରା ପ୍ରଭାବିତ ଜିଲା ସଂଖ୍ୟା ୧୮ରୁ ୧୧କୁ ଖସିଆସିଥିବା ମନ୍ତ୍ରଣାଳୟର ଏକ ବିବୃତିରେ ଦାବି କରାଯାଇଥିଲା। ତେଣୁ ନୂଆ ଆର୍ଥିକବର୍ଷ ଆରମ୍ଭ ହେବା ପୂର୍ବରୁ ଭାରତରୁ ମାଓବାଦର ମୂଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ଯୁଦ୍ଧକାଳୀନ ଭିତ୍ତିରେ ଅପରେଶନ ଜାରି ରହିଛି। ବର୍ତ୍ତମାନ ଛତିଶଗଡ଼ର ବସ୍ତର ଡିଭିଜନ, ସୁକ୍ମା ଓ ବିଜାପୁର ଜିଲା ଏବଂ ଓଡ଼ିଶା-ଛତିଶଗଡ଼-ତେଲଙ୍ଗାନା ସୀମାନ୍ତ ଅଞ୍ଚଳରେ କୋମ୍ବିଂକୁ ଜୋର୍ଦାର କରାଯାଇଛି।