ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବହୁ ସଂଖ୍ୟକ କନିଷ୍ଠ ଯନ୍ତ୍ରୀ (JE) ଓ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହିବା ଘଟଣାକୁ ନେଇ ବିଧାୟକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିକାଶ କାର୍ଯ୍ୟର ତଦାରଖ କରୁଥିବା ଯନ୍ତ୍ରୀମାନେ ବୈଠକକୁ ନଆସିବା ସରକାରୀ ଅର୍ଥର ଅପବ୍ୟବହାର ଓ କାର୍ଯ୍ୟର ନିମ୍ନମାନକୁ ପ୍ରଶ୍ରୟ ଦେଉଛି ବୋଲି ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।

 

ବୈଠକରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବ୍ଲକର ଉନ୍ନୟନମୂଳକ ଖସଡ଼ା ପ୍ରସ୍ତୁତି ଓ MGNREGA ସମେତ ବିଭିନ୍ନ ଯୋଜନାର ସମୀକ୍ଷା କରାଯିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ବୈଠକରେ କୌଣସି ଜେଇ (JE) ଉପସ୍ଥିତ ନଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, “ଯେତେବେଳେ ଆମେ ପଞ୍ଚାୟତୱାରୀ କାର୍ଯ୍ୟର ସମୀକ୍ଷା କରୁଛୁ, ସେତେବେଳେ ସମ୍ପୃକ୍ତ ଯନ୍ତ୍ରୀଙ୍କ ଉତ୍ତରଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ଅନୁପସ୍ଥିତିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏହି ବ୍ଲକରେ କାର୍ଯ୍ୟର ମାନ (Quality) କିଭଳି ରହୁଛି। ଏହି ବେପରୁଆ ମନୋଭାବ ସମ୍ପର୍କରେ ମୁଁ ଜିଲ୍ଲାପାଳ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବି।”

ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି, ବ୍ଲକ ସଭାଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜନପ୍ରତିନିଧି ଓ ଅଧିକାରୀଙ୍କ ପାଇଁ ପର୍ଯ୍ୟାପ୍ତ ଚେୟାରର ବ୍ୟବସ୍ଥା ମଧ୍ୟ କରାଯାଇ ନଥିଲା। ଫଳରେ ଅନେକ ଲୋକ ବାଧ୍ୟ ହୋଇ ଛିଡ଼ା ହୋଇ ବୈଠକରେ ସାମିଲ ହୋଇଥିଲେ। ବ୍ଲକ ପ୍ରଶାସନର ଏଭଳି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ବୈଠକରେ ବିରିକୋଟ, ତାଲଝାପି ଓ ପୋଡ଼ାପଦର ଅଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ହାଇସ୍କୁଲରେ ପରିଣତ କରିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଦାବି ରଖାଯାଇଥିଲା। ଏହା ସହିତ ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗାଁ ଓ ମୁଖ୍ୟ ଛକରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ବିଡିଓ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ସତ୍ୟ ସନାତନ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ସନାତନ ମହାରଣା, ବିଧାୟକ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ଏବଂ ବିଭିନ୍ନ ବିଭାଗରୁ AEE ସାଲ୍କୁ ହେମ୍ବ୍ରମ୍, GPDO ବାଲେଶ୍ୱର ନାୟକ, ମେଡିକାଲ ଅଫିସର ପ୍ରଦ୍ୟୁଷ କୁମାର ପଣ୍ଡା, CDPO ମଧୁମାଲା ବାଗ୍‌ଙ୍କ ସମେତ କିଛି ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ। ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବୈଠକରେ ଚେତାବନୀ ଦିଆଯାଇଛି, ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Dharitri – Odisha’s No.1 Odia Daily

Share