ନୂଆପଡ଼ା,୧୧ା୮ (ମକାରୁ ବେମାଲ): ରାଜସ୍ବ ଅମଲା ସଂଘ ବିଭିନ୍ନ ସମସ୍ୟା ନେଇ ଦୀର୍ଘଦିନରୁ ଦାବି କରିଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ସୋମବାରଠାରୁ ନୂଆପଡ଼ା ଜିଲାର ଅମଲାମାନେ ସମୂହ ଛୁଟିରେ ଯାଇ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ସଂଘ ସଭାପତି ତ୍ରିଲୋଚନ ରଥଙ୍କ ନେତୃତ୍ୱରେ ଜିଲାର ସମସ୍ତ ରାଜସ୍ବ ଅମଲା ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହା ପୂର୍ବରୁ ଜିଲା ଅମଲା ସଂଘ ପକ୍ଷରୁ ଜୁନ ୨୫ ଓ ଜୁଲାଇ ୯ରେ ଜିଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହା ଉପରେ ସରକାର ବିଚାର କରି ୧୫ ଦିନ ଭିତରେ ପ୍ରକାଶ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ମାସେ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ଦାବି ପୂରଣ ନ ହେବା ଯାଏ ଛୁଟିରେ ରହିବୁ ବୋଲି ଅମଲାମାନେ ପ୍ରକାଶ କରିଛନ୍ତି।ଏହା ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିବା ଆଶଙ୍କା ଦେଖାଦେଇଛି। ଏହାକୁ ସମର୍ଥନ ଜଣାଇ ନୂଆପଡା ଜିଲା ବିଜେଡି ସଭାପତି ଅବନୀ ରଞ୍ଜନ ଜୋଷୀ ସାମିଲ ହୋଇଥିଲେ। ଏଥିରେ ଜିଲା କାର୍ଯ୍ୟକାରୀ ସଭାପତି ମନୋଜ କୁମାର ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୋହନ ବାଗ, ସମ୍ପାଦକ ମଦନ ସୁନ୍ଦର ସାହୁ, ଅଭୟ ନାଥ, ସୌରିଶ ପଟ୍ଟନାୟକ, ବିଭୂଦତ୍ତ ମିଶ୍ର, ରେଶ୍ମା ସାହୁ, ମମତା ଶବର ପ୍ରମୁଖ ସାମିଲ ଥିଲେ।