ବିଦ୍ୟୁତ ନାହିଁ ବୋଲି ଖୋଲୁନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ:ନୂଆ କୋଠାରେ ଝୁଲୁଛି ତାଲା

ଦାରିଙ୍ଗବାଡି, ୨୦।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ଅଧୀନରେ ରହିଥିବା ଗ୍ରୀନବାଡି ରାଜସ୍ବ ନିରୀକ୍ଷକଙ୍କ ନୂତନ କୋଠା ନିର୍ମାଣ ବହୁତ ଦିନ ବିତିଯାଇଥିଲେ ମଧ୍ୟ ତାହା ଲୋକଙ୍କ କାର୍ଯ୍ୟରେ ଆସିନାହିଁ। ଗ୍ରୀନବାଡି ପଞ୍ଚାୟତବାସୀ ଜମି ମାମଲା ସହ ବିଭିନ୍ନ କାର୍ଯ୍ୟପାଇଁ ରାଜସ୍ବ ନିରୀକ୍ଷକଙ୍କ ପାଖକୁ ଯିବାକୁ ହେଲେ ଦାରିଙ୍ଗବାଡି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଯିବାକୁ ପଡୁଛି। ଫଳରେ ବହୁତ ହଇରାଣ ଭୋଗୁଛନ୍ତି ଗ୍ରୀନବାଡି ପଞ୍ଚାୟତ ବାସୀ ଲୋକଙ୍କ ସୁବିଧା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଲକ୍ଷାଧିକ ଟଙ୍କା ବିନିମୟରେ ନୂତନ କୋଠା ନିର୍ମାଣ କରାଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇପାରି ନ ଥିବାରୁ ସେଠାରେ କମ୍ପ୍ୟୁଟର ଲଗାଇବା ପାଇଁ ସମସ୍ୟା ଯୋଗୁ ବିଦ୍ୟୁତ ସଂଯୋଗ ପାଇଁ ଚିଠି କରାଯାଇଛି। ତାହା ହେଲାପରେ ଉକ୍ତ କାର୍ଯ୍ୟାଳୟ ଚାଲିବ ବୋଲି ରାଜସ୍ବ ନିରୀକ୍ଷକ ଦୁର୍ଗା ପ୍ରସାଦ ପ୍ରଧାନ କହିଛନ୍ତି। ଶୀଘ୍ର ଉକ୍ତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଖୋଲାଯିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।