ନୂଆଦିଲ୍ଲୀ,୯।୯: ଏବେ ନେପାଳରେ ରାଜତନ୍ତ୍ର ପୁନଃସ୍ଥାପନ ଓ ହିନ୍ଦୁ ରାଷ୍ଟ୍ର ଦାବିରେ ବିକ୍ଷୋଭ ଜାରି ରହିଛି। ମାର୍ଚ୍ଚରେ କାଠମାଣ୍ଡୁରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଦୁର୍ନୀତି ଓ କୁଶାସନ ଅଭିଯୋଗ ଏବଂ ସୋସିଆଲ ମିଡିଆ ପ୍ରତିବନ୍ଧକ ପରେ ତୀବ୍ର ହୋଇଛି। ପୋଲିସ ଦମନରେ ୧୯ ଜଣଙ୍କ ମୃତ୍ୟୁ ହେବା ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଙ୍ଗଳବାର ଇସ୍ତଫା ଦେଇଛନ୍ତି।
ରାଜପରିବାର କେଉଁଠି?
୨୦୦୮ରେ ରାଜତନ୍ତ୍ର ଉଚ୍ଛେଦ ପରେ ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହ କାଠମାଣ୍ଡୁର ନିର୍ମଳ ନିବାସରେ ସାଧାରଣ ନାଗରିକ ଭାବେ ରହୁଛନ୍ତି। ୨୦୨୪ରେ ସେ ଆଂଶିକ ସମୟ ପାଇଁ ନଗରଜୁନ ପାହାଡ଼ରେ ହେମନ୍ତବାସ କଟେଜକୁ ସ୍ଥାନାନ୍ତରିତ ହୋଇଥିଲେ। ରାଣୀ ମା’ ରତ୍ନା ମହେନ୍ଦ୍ର ମଞ୍ଜିଲରେ ରହୁଛନ୍ତି। ପୂର୍ବତନ ଯୁବରାଜ ପରଶ ଓ ହିମାନୀଙ୍କ ଝିଅ କ୍ରୀତିକା ଓ ପୂର୍ଣ୍ଣିକା ଶାହ ୨୦୦୮ରେ ସିଙ୍ଗାପୁର ଚାଲିଯାଇ ଶିକ୍ଷା ଜାରି ରଖିଛନ୍ତି।
ରାଜତନ୍ତ୍ର ସମର୍ଥକଙ୍କ ଆନ୍ଦୋଳନ
ମାର୍ଚ୍ଚରେ ଜ୍ଞାନେନ୍ଦ୍ର ଶାହଙ୍କୁ ପୋଖରାରୁ ଫେରିବା ବେଳେ ହଜାର ହଜାର ରାଜତନ୍ତ୍ର ସମର୍ଥକ ସ୍ୱାଗତ କରିଥିଲେ। ମେ’ରେ ସେ ନାରାୟଣହିତୀ ରାଜପ୍ରାସାଦରେ ପୂଜା କରିଥିଲେ। ରାଜତନ୍ତ୍ର ସମର୍ଥକମାନେ “ରାଜା ଫେରି ଆସ, ଦେଶ ବଞ୍ଚାଅ” ନାରା ଦେଇ ଓଲିଙ୍କ ଇସ୍ତଫା ଦାବି କରିଥିଲେ। ମାର୍ଚ୍ଚରେ ପୁଲିସ ସହ ସଂଘର୍ଷରେ ଦୁଇ ଜଣଙ୍କ ମୃତ୍ୟୁ ଓ ୧୦୦ରୁ ଅଧିକ ଆହତ ହୋଇଥିଲେ। ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି (ଆରପିପି) ରାଜତନ୍ତ୍ରକୁ ଜାତୀୟ ସ୍ୱାର୍ଥର ରକ୍ଷକ ଭାବେ ସମର୍ଥନ କରୁଛି।