ପ୍ରତ୍ୟର୍ପଣ ପାଇଁ ଡୋମିନିକା ରାଜି

ରୋଷେଉ,୩ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ଅଡ଼ୁଆ ବଢ଼ିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ୧୩,୫୦୦ କୋଟି ଋଣ ଜାଲିଆତି କରି ଫେରାର ହୋଇଥିବା ଏହି ଅଭିଯୁକ୍ତଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଗଲେ କିଛି ଆପତ୍ତି ନାହିଁ ବୋଲି ଡୋମିନିକା ସରକାର ବୁଧବାର ସେଠାକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଗୁରୁବାର ତାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ହେବ। ଡୋମିନିକା ହାଇକୋର୍ଟରେ ବୁଧବାର ମେହୁଲ ଚୋକ୍‌ସିଙ୍କ ପକ୍ଷରୁ ଦାଏର ହେବିଅସ୍‌ କର୍ପସର ଶୁଣାଣି ହୋଇଥିଲା। ଦେଶ ଭିତରକୁ ଚୋକ୍‌ସି ବେଆଇନ ଭାବେ ପ୍ରବେଶ କରିଥିବାରୁ ତାଙ୍କୁ ଏକ ମାଜିଷ୍ଟ୍ରେଟ୍‌ କୋର୍ଟରେ ହାଜର କରାଯାଉ ବୋଲି ହାଇକୋର୍ଟ କହିଥିଲେ। ତେବେ ଚୋକ୍‌ସିଙ୍କ ଆବେଦନ ବିଚାରଯୋଗ୍ୟ ନୁହେଁ। ତେଣୁ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ଉଚିତ ବୋଲି ଡୋମିନିକା ହାଇକୋର୍ଟ ଯୁକ୍ତି ବାଢ଼ିଥିଲେ। ଅନ୍ୟପକ୍ଷେ ଚୋକ୍‌ସିଙ୍କ ଓକିଲ କହିଥିଲେ, ଡୋମିନିକା ପୋଲିସ ହାଜତରେ ତାଙ୍କ ମହକିଲ ସୁରକ୍ଷିତ ଅନୁଭବ କରୁନାହାନ୍ତି। ତେଣୁ ତାଙ୍କୁ ଆଣ୍ଟିଗୁଆ ଫେରିବାକୁ ଦିଆଯାଉ। ଇତିମଧ୍ୟରେ ହାଇକୋର୍ଟ ଚୋକ୍‌ସିଙ୍କ ଆବେଦନର ବିଚାର ନ କଲେ ଅପିଲ କରିବା ପାଇଁ ତାଙ୍କ ଓକିଲମାନେ ପ୍ରସ୍ତୁତ ହେଉଛନ୍ତି। ପ୍ରକାଶ ଯେ, ୨୦୧୮ ଜାନୁୟାରୀରେ ପିଏନ୍‌ବିର ୧୩,୫୦୦ କୋଟି ଟଙ୍କା ଋଣ ଜାଲିଆତି ମାମଲା ପଦାକୁ ଆସିବା ପରେ ୬୨ ବର୍ଷୀୟ ମେହୁଲ ଚୋକ୍‌ସି ଓ ତାଙ୍କ ଭଣଜା ନୀରବ ମୋଦି ଫେରାର ହୋଇଯାଇଥିଲେ। ଚୋକ୍‌ସି ଆଣ୍ଟିଗୁଆ ଯିବା ପୂର୍ବରୁ ୨୦୧୭ରେ ସେଠାକାର ନାଗରିକତ୍ୱ ଗ୍ରହଣ କରିଥିଲେ। ନିକଟରେ ଡୋମିନିକାରେ ଚୋକ୍‌ସିଙ୍କୁ ଠାବ କରିବା ପରେ ପୋଲିସ ତାଙ୍କୁ ଗିରଫ କରି ହାଜତରେ ରଖିଛି। ଚୋକ୍‌ସିଙ୍କୁ ସ୍ବଦେଶକୁ ଆଣିବା ପାଇଁ ଭାରତରୁ ଏକ ସିକ୍ୟୁରିଟି ଟିମ୍‌ ଦ୍ୱୀପ ରାଷ୍ଟ୍ର ଡୋମିନିକା ଯାଇଛି। ‘ମିଶନ ଚୋକ୍‌ସି’ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ଦୁଇଜଣ ଲେଖାଏ ଅଧିକାରୀ ସାମିଲ ଅଛନ୍ତି। ସିବିଆଇର ଲେଡି ଅଫିସର ଶାରଦା ରାଉତ୍‌ ଏହି ଟିମ୍‌ର ନେତୃତ୍ୱ ନେଉଛନ୍ତି। ପ୍ରତ୍ୟର୍ପଣ କରାଗଲେ ଏକ ଘରୋଇ ବିମାନରେ ଶାରଦା ତାଙ୍କୁ ଗିରଫ କରି ଭାରତ ଆଣିବେ। ଏଥିପାଇଁ ଡୋମିନିକା ଅଧିକାରୀମାନଙ୍କ ସହ ଭାରତୀୟ ଟିମ୍‌ର ଆଲୋଚନା ହୋଇଛି।