ପ୍ରତିଶୋଧାତ୍ମକ ରାଜନୀତି

ବେଆଇନ ବାଲି ଚାଲାଣକୁ ନେଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଓ ଆଇପିଏସ୍‌ ଅଧିକାରୀ ଅଞ୍ଜନା କ୍ରିଷ୍ଣାଙ୍କ ମଧ୍ୟରେ ବିବାଦ ଦେଖାଯାଇଛି। ରାଜନେତା ଓ ବାବୁଙ୍କ ମଧ୍ୟରେ ଏଭଳି ଟଣାଓଟରା ବହୁ ସମୟରେ ଦେଖାଯାଏ ଓ ଦୀର୍ଘଦିନ ଧରି ଲାଗିରହେ। ପାଓ୍ବାରଙ୍କ ପାର୍ଟିର କର୍ମୀମାନେ ବେଆଇନ ବାଲି ଉଠାଣ ଉପରେ ଅଞ୍ଜନାଙ୍କ ପଦକ୍ଷେପ ସମ୍ପର୍କରେ ପାଓ୍ବାରଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ଅଞ୍ଜନାଙ୍କୁ ଏ ସମ୍ପର୍କରେ କଲ୍‌ କରି ଧମକ ଦେଇଥିଲେ ଏବଂ ଅଞ୍ଜନା ସେଥିରେ ପରିବର୍ତ୍ତନ କରିବାକୁ ମନା କରିଦେଇଥିଲେ। ସେ ପଛଘୁଞ୍ଚା ନ ଦେବା କାରଣ ହେଉଛି ଖଣିମାଲିକମାନେ ବୈଧ କାଗଜପତ୍ର ଦେଖାଇପାରି ନ ଥିଲେ। ବ୍ୟବସ୍ଥା କିଭଳି ଚାଲିଛି ଏଥିରୁ ସ୍ପଷ୍ଟ ହେଉଛି। କିନ୍ତୁ ଆମ ରାଜନୈତିକ ସଂସ୍କୃତିରେ କାଗଜପତ୍ର କଥା କହିବା ମାନେ ବଡ଼ ବିପଦକୁ ଆମନ୍ତ୍ରଣ କରିବା। ଏଭଳି ପଦକ୍ଷେପ ଆମେ ପୂର୍ବରୁ ଦେଖିଛେ। ବାଲିମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉତ୍ତରପ୍ରଦେଶରେ ଦୁର୍ଗା ଶକ୍ତି ନାଗପାଲ ନିଲମ୍ବିତ ହୋଇଥିଲେ। ମଧ୍ୟପ୍ରଦେଶ ଓ କର୍ନାଟକରେ ଆଇଏଏସ୍‌ ଅଧିକାରୀମାନଙ୍କୁ ଗାଳି ଦିଆଯାଇଥିଲା, ଅପମାନିତ କରାଯାଇଥିଲା। ଏଭଳି ଘଟଣାରେ ରାଜନେତାମାନେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରୁଥିବା ସମୟରେ ବାବୁଙ୍କ ମଧ୍ୟରୁ କେତେଜଣ ବିରୋଧ କରିଥାନ୍ତି। ଅଞ୍ଜନାଙ୍କୁ ବଦନାମ କରିବା ପାଇଁ ତାଙ୍କ ଜାତି ଓ ଶିକ୍ଷାଗତ ରେକର୍ଡଗୁଡ଼ିକର ଖୋଳତାଡ଼ କରାଯାଉଛି। ଏହା ଶାସନ ନୁହେଁ, ବରଂ ପ୍ରତିଶୋଧାତ୍ମକ ରାଜନୀତି। ଅଧିକାରୀମାନେ ସେମାନଙ୍କ କର୍ତ୍ତବ୍ୟ ଠିକ୍‌ ଭାବେ କଲାବେଳକୁ ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି।
ବିଶ୍ୱସନୀୟତା କମୁଛି
ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ(ସିଭିସି) ତା ରିପୋର୍ଟରେ ଦର୍ଶାଇଛି ଯେ, କାର୍ଯ୍ୟରେ ବିଳମ୍ବ, ଅନିୟମିତତା ଓ ହେରଫେର ଘଟଣାଗୁଡ଼ିକରେ ଅନ୍ୟମାନଙ୍କ ଉପରେ ଚଢାଉ କରୁଥିବା ସେଣ୍ଟ୍ରାଲ ବ୍ୟୁରେ ଅଫ୍‌ ଇନଭେଷ୍ଟିଗେସନ (ସିବିଆଇ) ତାହାର ନିଜ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ । ଏବେସୁଦ୍ଧା ୬୦ଟି ମାମଲାର ବିଚାର ହୋଇପାରିନାହିଁ ଏବଂ ଏଥିରୁ ୨୨ଟି ମାମଲା ୪ ବର୍ଷରୁ ଅଧିକ ସମୟ ହେଲା ପଡ଼ିରହିଛି। ”ମୁଁ ଯାହା କହୁଛି ସେହି ଅନୁସାରେ କର, ଯାହା ମୁଁ କରୁଛି ତାହା କରନାହିଁ“ ନିୟମରେ ସିବିଆଇ ଚାଲେ କି? ଦେଶର ଏକ ପ୍ରମୁଖ ତଦନ୍ତକାରୀ ସଂସ୍ଥା ନିଜ ଗୋଡକୁ ଟାଣୁଛି ଏବଂ ବିଶ୍ୱସନୀୟତା ହରାଉଛି। ଏଭଳି ମାମଲା ପଡ଼ିରହିବା ସିବିଆଇର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରେ। ଯଦି ପୋଲିସ ଅଧିକାରୀମାନେ ଦୁର୍ନୀତିଗ୍ରସ୍ତ ହେବେ, ତେବେ ସେମାନେ ଠିକ ଭାବେ କାମ କରିବେ ବୋଲି ଆଶା କରାଯାଇ ପାରେ କି ? ସିବିଆଇରେ ଏବେ ୧୫୦୦ ପଦବୀ ଖାଲିରହିଛି। ଏଥି ମଧ୍ୟରେ ରହିଛି କାର୍ଯ୍ୟନିର୍ବାହୀ ର଼୍ୟାଙ୍କର ୯୦୦ ପବଦୀ। ଏହା ବିନା ଡାକ୍ତରରେ ଗୋଟିଏ ହସ୍ପିଟାଲ ଚଳାଇବା ଭଳି କଥା। ସିବିଆଇରେ ଫାଇଲ କାମ କରିବାକୁ ଲୋକ ନଥିବାବେଳେ ଏହା କିଭଳି ହାଇପ୍ରୋଫାଇଲ ଦୁର୍ନୀତି ମାମଲାଗୁଡ଼ିକର ତଦନ୍ତ କରିବ? ସିବିଆଇକୁ ‘ ପିଞ୍ଜରାବଦ୍ଧ ପାରା’ ବୋଲି କୁହାଯାଉଛି। ତେବେ ଏହି ରିପୋର୍ଟକୁ ଯଦି ଦେଖାଯାଏ ତେବେ ସିବିଆଇ କେବଳ ପିଞ୍ଜରାବଦ୍ଧ ହୋଇନାହିଁ, ବରଂ ଏହାର ସ୍ବର ମଧ୍ୟ ହରାଇସାରିଲାଣି ବୋଳଇ ବୁଝିବାକୁ ହେବ। ରାଜନୈତିକ ଭାବେ ଏହା ମୁକ୍ତ ହେଲେ ଏହା ସ୍ବର ଉଚ୍ଚ କରିପାରେ, କିନ୍ତୁ ଯେତେବେଳେ ନିଜ ବସା ସଫା କରିବା କଥା ଆସେ ସେତେବେଳେ ନୀରବ ରହେ। ନିଜ ଘରକୁ ସଜାଡ଼ିବା ହେଉଛିଏହାର ପ୍ରଥମ କାମ। ଅନ୍ୟଥା, ସବୁ ଚଢାଉ, ସବୁ ସାମ୍ବାଦିକ ସମ୍ମିଳନୀ ଏବଂ ‘ଆମେ ଅପାରାଧୀଙ୍କୁ ଧରିଲୁ’ ଅଭିଯାନ ସବୁ ଫମ୍ପା ମନେହେବ।
ନକଲି ବାବୁ
ନିକଟରେ ଉତ୍ତରପ୍ରଦେଶରେ ନକଲି ଆଇଏଏସ୍‌ ଅଧିକାରୀ ସୌରଭ ତ୍ରିପାଠୀଙ୍କୁ ଗିରଫ କରାଯାଇଛି। ସୌରଭ ନିଜକୁ ଜଣେ ଆଇଏଏସ୍‌ ଅଧିକାରୀ ପରିଚୟ ଦେଇ ଲକ୍ଷ୍ନୌରେ ବିନା ବାଧାରେ ବୁଲୁଥିଲେ। ତାଙ୍କ ପାଖରେ ସିଲ୍‌, ପାସ୍‌ ଓ ଜଣେ କର୍ମଚାରୀ ମଧ୍ୟ ଥିଲେ। ଦେଖିବାକୁ ଗଲେ ଏକ ଉଚ୍ଚସ୍ତରୀୟ ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହ ବସିବା ଏବଂ ଅଧିକାରୀଙ୍କ ନିଯୁକ୍ତି ଉପରେ ବୁଝାମଣା କରିବା କେବଳ ଗୋଟିଏ ପ୍ଲାଷ୍ଟିକ ଆଇକାର୍ଡ ଦେଖାଇ କରିହେବ ନାହିଁ। ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ ଥିଲେ କିମ୍ବା ତା’ ଭିତରେ ଥିବା ବ୍ୟକ୍ତିମାନେ ତାଙ୍କ ସହ ରହିଲେ ଏହା ସମ୍ଭବ ହେବ। ତ୍ରିପାଠୀଙ୍କ ଡାଏରୀ, କଲ୍‌ ରେକର୍ଡ ଏବଂ ଆର୍ଥିକ କାରବାର କେବଳ ତାଙ୍କ ଖୁସିକୁ ପ୍ରକାଶ କରିନାହିଁ, ବରଂ ଜଣେ ଠକଙ୍କୁ ଗାଡ଼ିରେ ବୁଲିବାକୁ ଅନୁମତି ଦେଇ ପୋଲିସ ଅଧିକାରୀମାନେ କେମିତି ଖୁସି ହୋଇପାରନ୍ତି, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଆଉ ଗୋଟିଏ ବିଷୟକୁ ଏଠାରେ ଅଣଦେଖା କରିହେବ ନାହିଁ। କୌଣସି ସରକାରୀ କ୍ଷମତା ନ ଥିବା ବ୍ୟକ୍ତି ବଦଳି ଓ ପଦୋନ୍ନତିରେ ଦଲାଲ ପାଲଟିବା ଜଣାପଡ଼ିଛି। କେବଳ ଛଦ୍ମବେଶରେ ସେ ଧୁରନ୍ଦର ଥିବାରୁ ତାଙ୍କ ଠକେଇ ଠିକ୍‌ ଭାବେ କାମ କରିଛି ତାହା ନୁହେଁ, ବରଂ ପୋଲିସ ବ୍ୟବସ୍ଥାରେ ତାଙ୍କୁ ସମର୍ଥନ କରୁଥିବା ଅନେକଙ୍କ ପାଇଁ ଏହା ଘଟିଛି। ପୋଲିସ ଏବେ ଜବତ ହୋଇଥିବା କାର୍‌ ଓ ସିଲ୍‌ଗୁଡ଼ିକୁ ପ୍ରଦର୍ଶନ କରିପାରେ, କିନ୍ତୁ ଯେଉଁ ଅଧିକାରୀମାନଙ୍କ ସହଯୋଗରେ ଠକ ଏସବୁ କରିବାକୁ ସକ୍ଷମ ହେଲେ, ସେମାନଙ୍କ ନାମ ତଦନ୍ତରେ ପ୍ରକାଶ କରି ଲଜ୍ଜିତ ନ କରିବା ଯାଏ ଏହି ଘଟଣା କେବଳ ଜଣେ ଠକ ଦ୍ୱାରା ହୋଇଛି ବୋଲି କହିହେବ ନାହିଁ। ଏଥିରେ ଅମଲାତନ୍ତ୍ରର ବୁଝାମଣା ରହିଛି, ଯେଉଁଥିରେ ଜଣେ ଠକ ବାବୁ ତିଷ୍ଠିବାକୁ ସକ୍ଷମ ହୋଇପାରିଲେ।
Email: dilipcherian@gmail.com