ପାଟଣା,୮ା୨(ବୀରକିଶୋର ଦାଶ): ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପିପୁଲସ କଲଚରାଲ ସେଣ୍ଟର (ପିକକ) ପକ୍ଷରୁ ଆଡପ୍ସନସେଣ୍ଟ୍ରମର ସହଯୋଗରେ ଫେବୃଆରୀ ୫ସେରୁ ୮ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ କପୁଣ୍ଡିସ୍ଥିତ ରୁରାଲ ଲାଇଭଲିହୁଡ ଟ୍ରେନିଂ ସେଣ୍ଟରରେ ଚାରି ଦିନିଆ ଇକୋ-ଭେଞ୍ଚର କ୍ୟାମ୍ପ ଆୟୋଜିତ ହୋଇଥିଲା। ଏହି କ୍ୟାମ୍ପରେ ଓଡ଼ିଶାର ବିଭିନ୍ନ ଜିଲାରୁ ଆସିଥିବା ଇକୋସେଭର୍ସ ୟୁଥ୍ ନେଟ୍ଓ୍ବର୍କର ୬୦ ଜଣ ଯୁବତୀ ଯୁବକ ସକ୍ରିୟ ଭାବେ ଅଂଶଗ୍ରହଣ କରି ତାଲିମ ଗ୍ରହଣ କରିଥିଲେ।
ଯୁବତୀ ଯୁବକ ମଧ୍ୟରେ ପରିବେଶ ସୁରକ୍ଷା ସମ୍ପର୍କରେ ଜ୍ଞାନ ଓ ସଚେତନତା ବୃଦ୍ଧି କରିବା ସହିତ ସେମାନଙ୍କ ମଧ୍ୟରେ ନେତୃତ୍ୱର ବିକାଶ, ଦଳଗତ କାର୍ଯ୍ୟ ଓ ପ୍ରକୃତି ପ୍ରତି ଦାୟିତ୍ୱ ବୋଧକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଲକ୍ଷ ଥିଲା ବୋଲି ସଂସ୍ଥାର ସଂପାଦକ ରଞ୍ଜନ ମହାନ୍ତି କହିଛନ୍ତି।
ରବିବାର ଅନ୍ତିମ ଦିବସରେ ତାଲିମପ୍ରାପ୍ତ ଯୁବତୀ ଯୁବକଙ୍କୁ ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲ ପିଛୁଳା ବେଡା ଜଙ୍ଗଲକୁ ଯାଇ ବିଭିନ୍ନ ଔଷଧୀୟ ବୃକ୍ଷକୁ ପରିଦର୍ଶନ କରିବା ସହ ଏଗୁଡ଼ିକର ଉପକାରିତା ସନ୍ଦର୍ଭରେ ପାଟଣା ବନପାଳ ନିରଞ୍ଜନ ସେଠୀଙ୍କଠାରୁ ବୁଝିଥିଲେ। କାର୍ଯ୍ୟକ୍ରମରେ ପିକ୍କର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟକାରୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, କୋଷାଧ୍ୟକ୍ଷ ରତ୍ନା ଦାଶ, ପ୍ରୋଜେକ୍ଟ ନେତ୍ରୀ ରଶ୍ମୀରେଖା ସାହୁ, ଜିଲା ସଂଯୋଜକ ସତ୍ୟନାରାୟଣ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।
ଯୁବପ୍ରତିନିଧିମାନେ ବିଭିନ୍ନ ପ୍ରଜାତିର ଗଛଲତା ଓ ପଶୁପକ୍ଷୀକୁ ଚିହ୍ନଟ କରିବା ସହିତ ଔଷଧୀୟ ଉଦ୍ଭିଦ ଓ ସେଗୁଡ଼ିକର ବ୍ୟବହାର ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ। ଏହା ସହିତ ଅଂଶଗ୍ରହଣକାରୀମାନେ ସ୍ଥାନୀୟ ଅଧିବାସୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ପର୍ବପର୍ବାଣିଖାଦ୍ୟ, ପାରମ୍ପରିକ ଔଷଧ ପ୍ରଣାଳୀ ଓ ଜୀବନଶୈଳୀ ସମ୍ପର୍କରେ ଜ୍ଞାନଲାଭ କରିଥିଲେ। ସାଂସ୍କୃତିକ କାର୍ଯ୍ୟକଳାପଗୁଡ଼ିକ ଯୁବମାନଙ୍କୁ ସ୍ଥାନୀୟ ସଂସ୍କୃତି ଓ ଐତିହ୍ୟକୁ ଭଲ ଭାବେ ବୁଝିବାରେ ସାହାଯ୍ୟ କରିଥିଲା। ପିକକ୍ର ପୂଜା ପଣ୍ଡା, ରଶ୍ମୀରେଖା ସାହୁ, ଅନିତା ବାରିକ, ଉପମା ମହାନ୍ତି, ବିଷ୍ଣୁପ୍ରିୟା ମହାପାତ୍ର, ବାମଦେବ ଜେନା, ଦ୍ରୌପଦୀ ବେଜ, ଶୁଭଲକ୍ଷ୍ମୀ ପଣ୍ଡା ଏବଂ ନାରାୟଣ ଦାସ ଏହି କ୍ୟାମ୍ପର ପରିଚାଳନା କରିଥିଲେ।