କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ ସଦର ବ୍ଲକ ପଦ୍ମପୁର ହାତୀ ଉଦ୍ଧାର କେନ୍ଦ୍ରରୁ ଚନ୍ଦକା ହାତୀ ଯତ୍ନ କେନ୍ଦ୍ର (ନନ୍ଦକାନନ)କୁ ସ୍ଥାନାନ୍ତର କରିଛି। ସାମାଜିକ ପାଳନ ଏବଂ ସ୍ବାସ୍ଥ୍ୟ ପରିଚାଳନା ପାଇଁ ନିର୍ଦ୍ଧାରିତ ପ୍ରୋଟୋକଲ ଅନୁସରଣ କରି, ଛୁଆହାତୀକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଡିଏଫଓ ଧନରାଜ ଏଚଡି ସୂଚନା ଦେଇଛନ୍ତି।
ହାତୀ ଛୁଆକୁ ଏକ ସ୍ବତନ୍ତ୍ର ପରିବହନ ଯାନ “କ୍ଲ କ୍ରୁଜର”ରେ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଧିକାରୀ ନାୟନ କାନ୍ତ ସାହୁଙ୍କ ନେତୃତ୍ୱରେ ପରିବହନ କରାଯାଇଛି। ତାଙ୍କ ସହିତ ପଶୁଚିକିତ୍ସକଙ୍କ ଏକ ଦଳ, ଏକ ଏସ୍କର୍ଟ ଯାନ “ରକ୍ଷକ” ଯାଇଥିବା ବେଳେ, ବିଭାଗୀୟ ପ୍ରୋଟୋକଲ ଅନୁସାରେ ପରିବହନ କରାଯାଇଛି ବୋଲି ସୂଚନା ଦିଆ ଯାଇଛି। ହାତୀ ଛୁଆସଟି ସୁସ୍ଥ ଅଛି। ଏବଂ EEHV ଭାଇରସ ପାଇଁ ପରୀକ୍ଷଣରେ ନେଗେଟିଭ ଆସିଛି। ହାତୀ ଛୁଆ ଟି ୧୨ ଦିନ ପୂର୍ବରୁ ଭୂୟାଁ ଜୁଆଙ୍ଗ ପିଢ ରେଞ୍ଜର ସୁଆକାଟି ସେକ୍ସନ ଅନ୍ତର୍ଗତ ସୁକାଡାଲା ଗ୍ରାମରୁ ଉଦ୍ଧାର କରାଯାଇଥିଲା।