ଉଦ୍ଧାରହେଲେ ଷଷ୍ଠଶ୍ରେଣୀ ଛାତ୍ରୀ: ଉଠାଇ ନେଇଥିବା ଦୀପକ ଏବେ ପୋଲିସ ହାତରେ …

ଦିଗପହଣ୍ଡି,୯।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣେ ୬ଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ଦୀପକ କୁମାର ନାୟକ ନାମକ ଜଣେ ଯୁବକ ଅପହରଣ କରି କେଉଁଆଡ଼େ ନେଇଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଛାତ୍ରୀଙ୍କ ମା’ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୦୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ଏସଆଇ ଜ୍ୟୋତି ରଞ୍ଜନ ବେହେରାଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରି ତଦନ୍ତକାରୀ ଅଧିକାରୀ ସଦଳବଳେ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରି ଅପହୃତା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଥିବା ଜଣାପଡ଼ିଛି। ଛାତ୍ରୀ ଜଣକ ଶନିବାର ସାରେ ଅନ୍ୟଜଣେ ସାଙ୍ଗଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ତାଙ୍କ ଘରକୁ ଯାଇଥିବା ବେଳେ ତାଙ୍କୁ ପୂର୍ବ ଯୋଜନା ପ୍ରକାରେ ଅପହରଣ କରାଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ମିଳି ନ ଥିବା ନେଇ ଏତଲାରେ ଉଲ୍ଲେଖ ରହିଛି।